
ସାଲେପୁର, ସରକାର ଜନସାଧାରଣଙ୍କ ନିକଟରେ ସୁବିଧା ଓ ସହଜରେ ପାନୀୟଜଳ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ପ୍ରକଳ୍ପ ନିର୍ମାଣ କରାଯାଉଛି । କିନ୍ତୁ, ବିଭାଗୀୟ ଅଧିକାରୀ ଓ କାର୍ଯ୍ୟଭାର ନେଇଥିବା ଠିକାସଂସ୍ଥାଙ୍କ ମଧୁଚନ୍ଦ୍ରିକା ହେତୁ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବାରୁ କାର୍ଯ୍ୟର ସ୍ଥାୟିତ୍ଵ ନେଇ ପଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ସାଧାରଣରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହୋଇଛି ।
ପ୍ରକାଶ ଯେ, ମାହାଙ୍ଗା ବ୍ଳକର ୩୭ ଗୋଟି ପଂଚାୟତ ଓ ନିଶ୍ଚିନ୍ତକୋଇଲି ବ୍ଳକର ୭ଟି ପଂଚାୟତର ଜନସାଧାରଣଙ୍କୁ ଘରେ ଘରେ ବିଶୁଦ୍ଧ ପାଣି ଯୋଗାଇ ଦେବା ନିମନ୍ତେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ ୨୧୮ କୋଟି ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ହେଲେ ଏହି ନିର୍ମାଣ କାର୍ଯ୍ୟ ପାଇଁ ଏକ ଠିକାସଂସ୍ଥା କାର୍ଯ୍ୟ କରୁଥିବାବେଳେ ସେହି ସଂସ୍ଥା ଠାରୁ କିଛି ଉପ ଠିକାଦାର କାର୍ଯ୍ୟ ଆଣି ବିିଭନ୍ନ ପଂଚାୟତରେ କାର୍ଯ୍ୟ କରୁଛନ୍ତି । ଉଚ୍ଚ ପାଣି ଟାଙ୍କିଠାରୁ ଆରମ୍ଭ କରି ପାଇପ ଲାଇନ ପକାଇବା ଓ ଘରକୁ ଘର ପାଣି ପାଇପ ଯୋଗାଇ ଦେବା ଆଦି କାର୍ଯ୍ୟ କରୁଛନ୍ତି । କିନ୍ତୁ, ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ବିଶେଷ କରି ଯେଉଁଠାରେ ଉଚ୍ଚ ପାଣି ଟାଙ୍କି ନିର୍ମାଣ ହେଉଛି ସେ ସବୁ ସ୍ଥାନରେ କୌଣସି ସୂଚନା ଫଳକ ଲଗାଯାଉନାହିଁ । ଫଳରେ ଟାଙ୍କିରେ କି କି କାର୍ଯ୍ୟ ହେବା କଥା ଏବଂ କେଉଁ ସାମଗ୍ରୀ ବ୍ୟବହାର କରାଯାଉଛି ତାହା ସାଧାରଣରେ ପ୍ରକାଶ ପାଉନାହିଁ । ଯାହା ଫଳରେ ଏହାର ସୁଯୋଗ ନେଇ ସଂପୃକ୍ତ ଠିକାଦାରମାନେ ମନମୁଖି କାର୍ଯ୍ୟ କରାଉଛନ୍ତି । ଏପରିକି ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଅନେକ ସାମଗ୍ରୀ ଚୋରାରେ ବିକ୍ରି କରାଯାଉଛି । ସେହିପରି ପାଇପ ଲାଇନ ୩ ଫୁଟ ଉର୍ଦ୍ଧ ଗଭିରରେ ପକାଯିବାର ବ୍ୟବସ୍ଥା ଥିବାବେଳେ ଅନେକ ସ୍ଥାନରେ ଦେଢ ଫୁଟରୁ ଦୁଇ ଫୁଟ ମଧ୍ୟରେ ପାଇପ ପକାଯାଉଛି । ବହୁ ସ୍ଥାନରେ ପ୍ରଧାନମନ୍ତ୍ରୀ ସଡକ ଓ ଗ୍ରାମ୍ୟ ଢଳେଇ ରାସ୍ତା ଭଙ୍ଗା ଯାଇ ପାଇପ ପକାଯାଉଛି । ଭଙ୍ଗା ଯାଉଥିବା ଢଳେଇ ରାସ୍ତାକୁ ପାଇପ ପକାଯିବା ପରେ ଭଲ ଭାବେ ଢଳେଇ କରାନଯାଇ ନାମକୁ ମାତ୍ର ଢଳେଇ କରାଯାଉଛି । ଯାହା ଫଳରେ ଢଳେଇ ପଡିବାର ଦିନ କେଇଟା ମଧ୍ୟରେ ତାହା ଭାଙ୍ଗିରୁଜି ଯାଉଛି । ଅନେକ ସ୍ଥାନରେ ଢଳେଇ ରାସ୍ତା ଭଙ୍ଗାଯାଇ ଅଧାପନ୍ତରିଆ ଭାବେ ପଡିଥିବାରୁ ଯାତାୟତରେ ଅସୁବିଧା ହେବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ବହୁ ପଂଚାୟତରେ ପାଇପ ଲାଇନ ବିଛାରେ ବ୍ୟାପକ ଅନିୟମିତତା ହେବା ସହ ଦୀର୍ଘ ମାସ ହେବ ଅଧାପନ୍ତରିଆ ହୋଇ ପଡିରହିଛି । ଯାହାକି ୨୦୨୩ ମସିହା ସୁଦ୍ଧା ମାହାଙ୍ଗା ବ୍ଳକର ପ୍ରତ୍ୟେକ ଘରକୁ ପାଣି ଯୋଗାଇ ଦେବା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁଠାରେ ଉଚ୍ଚ ପାଣି ଟାଙ୍କି ନିର୍ମାଣ କରାଯାଉଛି ସେଠାରେ କଂକ୍ରିଟ ଓ ରଡ ବନ୍ଧା ସମୟରେ କୌଣସି ବିଭାଗୀୟ ଉଚ୍ଚ ଅଧିକାରୀ ରହୁନଥିବା ଦେଖିବାକୁ ମିଳିଛି। ଫଳରେ ଠିକାଦାରମାନେ ରଡ ବନ୍ଧା ଓ ଢଲେଇର ଫଟୋ ଉଠାଇ ଉଚ୍ଚ ଅଧିକାରୀଙ୍କୁ ପଠାଇ ମନମୁଖି ଓ ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।
ଏ ସଂପର୍କରେ ଏସଡିଓ ଜ୍ୟୋତିରଂଜନ ଦାସଙ୍କୁ ଯୋଗାଯୋଗ କରିବାରୁ ଆମେ କାର୍ଯ୍ୟସ୍ଥଳକୁ ଯାଇ ଦତାରଖ କରୁଥିବା କହିଥିଲେ । ଅପର ପକ୍ଷରେ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।