ଭୁବନେଶ୍ୱର,ଟସର ଚାଷ ଏବଂ ଏ ସଂପର୍କୀୟ ବିବିଧ ଜ୍ଞାନକୌଶଳର ପ୍ରସାର ଓ ଅନୁଭବର ବିନିମୟ ତଥା ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ସିଲକ୍ ସମଗ୍ର-୨ ଯୋଜନାର ଶୁଭାରମ୍ଭ ନେଇ ଏକ ରାଜ୍ୟସ୍ତରୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ସେରିକଲଚର ଉପବିଭାଗ ଓ ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟର କେନ୍ଦ୍ରୀୟ ସିଲକ୍ ବୋର୍ଡର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀମତୀ ଶର୍ମା ତାଙ୍କ ଅଭିଭାଷଣରେ କହିଲେ ଯେ, ଆମ ରାଜ୍ୟରେ ଟସର ଚାଷର ବିକାଶ ଦ୍ୱାରା ଟସର ଚାଷୀମାନଙ୍କର ଆର୍ôଥକ ଉନ୍ନତି ହେବା ସହିିତ ଜୀବିକା ନିର୍ବାହ ପାଇଁ ନୂତନ ଦିଗ ଉନ୍ମୋଚିତ ହୋଇପାରିବ । କେନ୍ଦ୍ର ସରକାରଙ୍କ ସମର୍ଥନରେ ସିଲକ୍ ସମଗ୍ର (୨)ର ଆରମ୍ଭ ଦ୍ୱାରା ଟସର ଚାଷର ସଂପ୍ରସାରଣ ସହିତ ଉତ୍ପାଦନ ବୃଦ୍ଧି ଘଟିବ । ରାଂଚିର ସିଟିଆର ଓ ଟିଆଇର ନିର୍ଦ୍ଦେଶକ ଡ. କେ. ସତ୍ୟନାରାୟଣ, ଗ୍ରାମ୍ୟ ଟସର ଚାଷୀଙ୍କ ଜୀବିକା ନିର୍ବାହରେ ଟସର କୋସାର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ଓଡ଼ିଶାର ଅତିରିକ୍ତ ପିସିସିଏଫ୍ ପ୍ରଦୀପ ରାଜ କରାଟେ କହିଥିଲେ ଯେ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଓଡ଼ିଶାରେ ୬୭ ହଜାରରୁ ଊର୍ଦ୍ଧ୍ୱ ବନ୍ୟ ବିକାଶ ସମିତିର ସଦସ୍ୟମାନେ ଟସର ସିଲକ୍ ଉତ୍ପାଦନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ । କାମ୍ପା କାର୍ଯ୍ୟକ୍ରମରେ ୧୮୦୦ ହେକ୍ଟରର ଜମିରେ ବନୀକରଣ କରାଯାଇଛି, ଯାହା ଟସର ଅଭିବୃଦ୍ଧିରେ ସହାୟକ ହେବ ।
ଏହି ଅବସରରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଭଗାମୁଣ୍ଡା ଟସର ସିଲକ୍ ପାର୍କ ଉପରେ ଏକ କ୍ଷୁଦ୍ର ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା । କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ଟସର କ୍ଷେତ୍ରରେ ଜ୍ଞାନକୌଶଳ ପ୍ରସାର ଓ ଅନୁଭବର ବିନିମୟ ଉପରେ ହୋଇଥିବା ଆଲୋଚନାଚକ୍ରରେ ସିଟିଆରଓ ଟିଆଇର ନିର୍ଦ୍ଦେଶକ ଡ. କେ. ସତ୍ୟନାରାୟଣ, ବୈଜ୍ଞାନିକ ଡ. କରମ୍ବୀର ଜେନା, ଡ. ଜଗତଜ୍ୟୋତି ବିନ୍ କାଡାକାଟି, ଡ. ଏନ୍.ବି. ଚୌଧୁରୀ, ଡି.ଆଇ.ଜି. ପ୍ରଭୁ, ରାଂଚିର ଟସର ଉନ୍ନୟନ ପ୍ରତିଷ୍ଠାନର ଇଂଟିଗ୍ରେଟର ରାଜେନ୍ଦ୍ର ଖଣ୍ଡାଇ ଟସର ବିକାଶ ଉପରେ ସନ୍ଦର୍ଭ ପାଠ କରିଥିଲେ ।
ସିଲକ୍ ସମଗ୍ର-୨ର ମୁଖ୍ୟ ଲକ୍ଷ୍ୟ ହେଉଛି ଟସର ବିକାଶରେ ଜ୍ଞାନକୌଶଳର ପ୍ରୟୋଗ, ବିହନର ବିକାଶ, ବଜାରକରଣ ଓ ସହଯୋଗ, ଟସରର ଗୁଣାତ୍ମକ ଦିଗ, ଟସର ବ୍ରାଣ୍ଡର ପ୍ରସାର ଇତ୍ୟାଦି ଏହି ଯୋଜନାରେ ଟସରର ବିକାଶର ବିଭିନ୍ନ ଦିଗ, ନୂତନ ଗାଇଡ୍ଲାଇନ୍, ମଲ୍ବେରୀ ସେରିକଲଚର ବିକାଶ ନିମନ୍ତେ ଉପାଦାନ, କୁକୁନ୍ କ୍ଷେତ୍ରର ପରବର୍ତୀ ଦିଗ ଓ ତାଲିମ କାର୍ଯ୍ୟକ୍ରମ ଇତ୍ୟାଦି ।
ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ଜଙ୍ଗଲ ଓ ସେରିକଲଚର ବିଭାଗର ୧୦୦ରୁ ଊର୍ଦ୍ଧ୍ୱ କ୍ଷେତ୍ର ଅଧିକାରୀ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।
Related Stories
May 3, 2024