କଟକ/ଭୁବନେଶ୍ୱର, କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଆଖି ବୁଜିଛି । ଆଠ ଦିନର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ନରସିଂହପୁର ପଶ୍ଚିମ ବନାଂଚଳ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ଏହି ସୂଚନା ଦେଇଛନ୍ତି ।
କିଛି ଦିନ ପୂର୍ବେ ଶିକାରୀମାନେ ହାତୀକୁ ଗୁଳି ମାରିଥିଲେ । ହାତୀଟି ଗୁରୁତର ଆହତ ହୋଇ ଏକ ନାଳରେ ପଡି ରହି ଚିତ୍କାର କରୁଥିଲା । ଖବର ପାଇବା ପରେ ହାତୀର ଚିକିତ୍ସା ପାଇଁ ବିଧାୟକ ଦେବୀ ମିଶ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅନୁରୋଧ କରିଥିଲେ । ବିଳମ୍ୱରେ ହେଲେ ମଧ୍ୟ ବନ ବିଭାଗ ହାତୀ ପାଖରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲା ।
ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ପିସିସିଏଫ୍ କହିଥିଲେ ଯେ ହାତୀ ଦେହରେ ୫ରୁ ୬ଟି ଛରରା ବାଜିଥିଲା । ହାତୀର ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଛରରା ବାଜିଥିଲା । ଏହା ପରେ ହାତୀଟି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା । ଯନ୍ତ୍ରଣାରେ ଦନ୍ତାହାତୀଟି ଜଙ୍ଗଲ ଭିତରେ ଘୁରି ବୁଲୁଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ଗର୍ଜନ କରୁଥିଲା । ତେବେ ଚାଲି ନପାରି ହାତୀଟି ଜଙ୍ଗଲ ଭିତରେ ଏକ ନାଳରେ ପଡ଼ି ଯାଇଥିଲା । ହାତୀର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ଜଙ୍ଗଲ ଭିତରେ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ୮ ଦିନର ଚିକିତ୍ସା ପରେ ଆଜି ହାତୀଟି ଆଖି ବୁଜିଛି ।