ଭୁବନେଶ୍ୱର, ପ୍ରାଚୀନ ସାହିତ୍ୟରେ ପୁରାଣ ଓ ଗୀତିକବିତା ସ୍ଥାନିତ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ କରି ବ୍ୟାସକବି ଫକୀରମୋହନ ସେନାପତି ନିଜ ଉପନ୍ୟାସ ଓ ଗଳ୍ପରେ ଓଡ଼ିଶାର ଜନ ଜୀବନର ଚରିତ୍ରମାନଙ୍କୁ ସ୍ଥାନିତ କରିଥିଲେ । ତାଙ୍କ ‘ଛ ମାଣ ଆଠଗୁଣ୍ଠ’ର ସାରିଆ, ଭଗିଆ, ମଙ୍ଗରାଜ ଓ ଚମ୍ପା ଚରିତ୍ର, ରାଣ୍ଡିପୁଅ ଅନନ୍ତାର ଦେବକୀ ଓ ଅନନ୍ତା, ଡାକମୁନ୍ସୀର ହରିସିଂହ ଆଦି ସାଧାରଣ ଲୋକଙ୍କ ଚରିତ୍ରକୁ ନିଜ କାହାଣୀରେ ସ୍ଥାନିତ କରି ଓଡ଼ିଶାର ସାହିତ୍ୟ ଜଗତରେ ଏକ ନୂତନ ଧାରାର ପ୍ରଚଳନ କରିଥିଲେ । ଓଡ଼ିଆ ଭାଷାକୁ ସୁରକ୍ଷା ଦେବାକୁ ସେ ମଧୁବାବୁଙ୍କ ସହିତ ରାଧାନାଥ ରାୟ ଓ ଅନ୍ୟ ମହାମନିଷୀମାନଙ୍କ ସହିତ ସଦାସର୍ବଦା ସମନ୍ୱୟ କରି ଓଡ଼ିଶାରେ ଯେଉଁ ଭାଷା ଆନ୍ଦୋଳନ ସୃଷ୍ଟି କରିଥିଲେ, ତାହାର ଫଳ ସ୍ୱରୂପ ଆଜି ଓଡ଼ିଆ ଭାଷା ବିକଶିତ ହେବା ସହ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇପାରିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୪ତମ ଶ୍ରାଦ୍ଧଦିବସ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତିର୍ର୍ ସ୍ଥଳୀରେ ଆୟୋଜିତ ହେବା ଅବସରରେ ବକ୍ତାମାନେ ମତଦେଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଡଃ ମନୋରଂଜନ ପାଣିଗ୍ରାହୀ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂହ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ରାଜ୍ୟ ଆବାହକ ପ୍ରବୀର ମହାନ୍ତି, ସତ୍ୟବ୍ରତ ଜେନା, ଉତ୍କଳ ସମ୍ମିଳନୀର ନେତା ଡଃ ରାଧାନାଥ ପ୍ରହରାଜ, ପୂର୍ବତନ କର୍ପୋରେଟର ନରେନ୍ ସାହୁ, ଉମାନାଥ ମିଶ୍ର, ରାମଚନ୍ଦ୍ର ପ୍ରଧାନ, ରାଜକିଶୋର ସାହୁ, ବଦ୍ରୀନାରାୟଣ ମିଶ୍ର, ମନୋରଂଜନ ମହାନ୍ତି, ଗୁରୁଚରଣ ସାହୁ, ରମାନାଥ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ଡଃ ମନୋରଂଜନ ପାଣିଗ୍ରାହୀ ଓ ନରେନ୍ ସାହୁଙ୍କୁ ବ୍ୟାସକବି ଫକୀରମୋହନ ସ୍ମୃତିସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଜି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟ ସମାଧି ଦିବସ ହୋଇଥିବାରୁ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବକ୍ତାମାନେ ନିଜ ବକ୍ତବ୍ୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶୂନ୍ୟ ସମାଧି ଦିବସକୁ ବିଶ୍ୱ ଲଉଡ଼ି ଦିବସ ଭାବରେ ପାଳନ କରାଯାଉଥିବାରୁ ପ୍ରତ୍ୟେକ ଗ୍ରାମରେ ଲଉଡ଼ି ଖେଳ ପ୍ରଦର୍ଶନ କରି ଅଚ୍ୟୁତାନନ୍ଦଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ ସହ ଓଡ଼ିଶାର ପ୍ରାଚୀନ ଆଧ୍ୟାତ୍ମିକ ଲୋକକଳା ଲଉଡ଼ିର ସୁରକ୍ଷା ଓ ବିକାଶ ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଜଣାଇଥିଲେ ।