![](https://indokalingtimes.com/wp-content/uploads/2019/09/IKT-logo-3.jpg)
ଭୁୁବନେଶ୍ୱର – ଆଜି ଠାରୁ ଆରମ୍ଭ ହୋଇଥିବା ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିବସର ପ୍ରଥମାର୍ଧ ବୈଠକ ୧୮ ମିିନିଟ ପାଇଁ ଚାଲିଥିଲା । ଉଭୟ ବିଜେପି ଓ କଂଗ୍ରେସ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନୋତର କାର୍ଯ୍ୟକ୍ରମ ସମ୍ପୂର୍ଣ ହୋଇ ପାରି ନ ଥିଲା କି ମୁଲତବୀ ଆଲୋଚନା ଆସି ପାରି ନଥିଲା । ବିଜେପି ପକ୍ଷରୁ ରାଜ୍ୟରେ ଦେଖା ଦେଇଥିବା ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଅଣା ଯାଇଥିଲା । କଂଗ୍ରେସ ଦଳ ପକ୍ଷରୁ ଆସିଥିବା ସ୍ମିତାରାଣୀ ବିଶ୍ୱାଳ ହତ୍ୟାକାଣ୍ଡ ଘଟଣା ଜନିତ ମୋସନ ଅଣା ଯାଇଥିଲା । ଏହା ଉପରେ ଆଲୋଚନା କରିବା ପାଇଁ ଆଜିର ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ସସପେଣ୍ଡ କରିବା ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଦେଇଥିବା ଚିଠିକୁ ଗ୍ରହଣ କରା ନ ଯିବାକୁ ନେଇ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ ।
ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟାରେ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ସଦସ୍ୟ ଓ ଶହୀଦ ଜବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇବାକୁ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହି ଦିବଙ୍ଗତ ସଦସ୍ୟ ମାନେ ହେଲେ ସ୍ୱର୍ଗତ ସାହୁରା ମଲ୍ଲିକ, ସ୍ୱର୍ଗତ ଉଦିତ ପ୍ରତାପ ଦେଓ ଓ ସ୍ୱର୍ଗତ ବୃନ୍ଦାବନ ପାତ୍ର ଓଡିଶା ପୋଲିସର ଓଏପିଏଫର ଶହୀଦ ଜବାନ ଜୟରାମ କବାସୀ । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ସିପିଏମ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଦିବଙ୍ଗତ ସଦସ୍ୟ ମାନଙ୍କର ସାମାଜିକ ଓ ରାଜନୈତିକ ଜୀବନୀ ଉପରେ ଆଲୋକପାତ କରିଥିଲେ । ବାଚସ୍ପତିଙ୍କ ଅନୁରୋଧ କ୍ରମରେ ସେମାନଙ୍କର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହା ପରେ ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବାଚସ୍ପତି ଶ୍ରୀ ପାତ୍ର କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକିଥିଲେ । ବିଧାୟକ ମୌଷଧି ବାଗଙ୍କର ଉଦ୍ୟାନ କୃଷି ସମ୍ପର୍କିତ ପ୍ରଶ୍ନର ଉତର ଦେଇଥିଲେ ।
ଇତି ମଧ୍ୟରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ନିଜ ଆସନରେ ଠିଆ ହୋଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ସେ ଦେଇଥିବା ମୋସନ ଉପରେ ଆଲୋଚନା କରିବା ଲାଗି ଆଜିର ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ବାତିଲ କରିବାକୁ ସେ ଚିଠି ଲେଖିଥିଲେ । ବାଚସ୍ପତି ଏହାର ପ୍ରତ୍ୟୁତରରେ କହିଥିଲେ ଯେ ସେ ଏହି ଚିଠି ପାଇଛନ୍ତି । ଯେଉଁ ଧାରାରେ ଏହା ଅନୁସରଣ ହେବା କଥା ତାହା ହୋଇ ନାହିଁ । ଏହି ପ୍ରସଙ୍ଗକୁ ସେ ଶୂନ୍ୟକାଳରେ ଉଠାଇ ପାରିବେ ବୋଲି ସେ କହିଥିଲେ । ବାଚସ୍ପତିଙ୍କ ଏହି ଉତରକୁ ନେଇ କଂଗ୍ରେସ ବିଧାୟକ ମାନେ ବିରୋଧ କରିବା ସହ ଗୃହର ମଧ୍ୟଭାଗକୁ ଆସି ନାରାବାଜୀ କରିଥିଲେ ।
ଅନ୍ୟ ପକ୍ଷରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ନାରୀ ନିର୍ଯ୍ୟାତନା ନେଇ ତାଙ୍କ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆ ଯାଇଛି । ତେଣୁ ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ବାତିଲ କରା ଯାଉ । ବାଚସ୍ପତି ନିଜ ନିଷ୍ପତିରେ ଅଟଳ ରହିବାରୁ ବିଜେପି ବିଧାୟକ ମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ପଳାଇ ଆସି ନାରାବାଜୀ କରିବା ସହ ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ ଚାଲିବାରୁ ବାଚସ୍ପତି ୧୧.୧୮ରୁ ଦିନ ୩ଟା ଯାଏ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।