କେନ୍ଦୁଝର, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଜୁନ୍ ୧୯ ତାରିଖରେ କେନ୍ଦୁଝର ଜିଲ୍ଲାରେ ମକଡ୍ରିଲ ଅନୁଷ୍ଠିତ ହେବ । କେନ୍ଦୁଝର ଜିଲ୍ଲାର ଜିଲ୍ଲା ସଦର ମହକୁମା, ବ୍ଲକ ସଦର ମହକୁମା ଏବଂ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, ବନ୍ୟା ଆଶ୍ରୟସ୍ଥଳ ମାନଙ୍କରେ ଉକ୍ତ ମକଡ୍ରିଲର ସୁପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଡେପୁଟି କଲେକ୍ଟର ଇମରଜେନ୍ସି ସୁରଞ୍ଜିକା ବେହେରା, ଡିପିଏଚଓ ଡ଼ଃ. ଲଲାଟେନ୍ଦୁ ନାୟକ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ସଂଜୀବ ବାରିକ, ପୌରପାଳିକାର ନିର୍ବାହୀ ଅଧିକାରୀ, ନୋଡାଲ ଏନଜିଓ ଓସ୍କାର ପ୍ରତିନିଧି, ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ବାତ୍ୟା/ବନ୍ୟା ଆଶ୍ରୟସ୍ଥଳର କମକର୍ତା, ବିଭିନ୍ନ ଅନୁଷ୍ଠାନର ସଂଗଠନର କମକର୍ତା ପ୍ରମୁଖ ଯୋଗଦେଇ ଅଲୋଚନାରେ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଉଦବୋଧନ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବିଲୁଙ୍ଗ କହିଥିଲେ ଯେ, ବ୍ୟାପକ ଜନସଚେତନତା ହିଁ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଏକାନ୍ତ ଆବଶ୍ୟକ । ଏଥି ନିମନ୍ତେ ଜନସାଧାରଣ, ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ଯୁବ ସମୁଦାୟ, ସ୍ଵେଚ୍ଛାସେବୀ ସଂଗଠନ ଓ ତୃଣମୂଳ ସ୍ତରରେ ଥିବା ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଥିଲେ । ଚଳିତ ମାସ ୧୯ ତାରିଖ ଦିନ ଜିଲ୍ଲାର ବିଭିନ୍ନ ସ୍ତର ଯଥା- ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳ ମାନଙ୍କରେ ହେବାକୁ ଥିବା ମକଡ୍ରିଲ ସଚେତନତା ସୃଷ୍ଟି କରିବାର ଏକ ମାଧ୍ୟମ । ଏଣୁ ଉକ୍ତ ମକଡ୍ରିଲରେ ସମାଜର ସମସ୍ତ ବର୍ଗର ଜନସାଧାରଣ, ବିଭିନ୍ନ ସରକାରୀ ବିଭାଗ, ଛାତ୍ରଛାତ୍ରୀ, ଏନସିସି, ଯୁବକ ସଂଘ, ଆଶା, ଅଙ୍ଗନୱାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ସଂଗଠନ / ଅନୁଷ୍ଠାନଙ୍କୁ ସାମିଲ କରିବା ପାଇଁ କହିଥିଲେ । ମକଡ୍ରିଲ ମାଧ୍ୟମରେ ମୁକାବିଲାର ବିଭିନ୍ନ କୌଶଳ ସମ୍ପର୍କରେ ସଚେତନ କରାଯିବା ସହ ବିଭିନ୍ନ ବିଭାଗ ମଧ୍ୟରେ ଉତମ ସମନ୍ଵୟ ରକ୍ଷା କରାଯାଇପାରିବ । ଏତଦ୍ ବ୍ୟତୀତ ସ୍ଥାନୀୟ ସମସ୍ୟାକୁ ଦୃଷ୍ଟିରେ ରଖି ଏହାର ସମାଧାନର ରାସ୍ତା ବାହାର କରିହେବ ବୋଲି କହିଥିଲେ । କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ମକଡ୍ରିଲର ବିଭିନ୍ନ ଦିଗ ଉପରେ ଅଲୋକପାତ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମେସ୍ତ ସ୍ଵେଚ୍ଛାକୃତ ଭାବେ ଏହାର ମୁକାବିଲା ପାଇଁ ଅଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ଡେପୁଟି କଲେକ୍ଟର ଏମରଜେନ୍ସି ସୁରଞ୍ଜିକା ବେହେରା ମକଡ୍ରିଲର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।
ଏହି ବୈଠକେର ଅଂଶଗ୍ରହଣ କରିଥିବା ସଦସ୍ୟମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନାଯୋଗ୍ୟ ଯେ, ମକଡ୍ରିଲ ପୂର୍ବରୁ ୧୮ ତାରିଖ ଦିନ ଜିଲ୍ଲା ସଦର ମହକୁମା ସମେତ ୧୩ଟି ବ୍ଲକର ଟେବୁଲ ଟପ୍ ଏକସରସାଇଜ୍ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଲାଇନ ଡିପାଟର୍ମେଟଂର ଅଧିକାରୀମାନେ ସାମିଲ ହେବେ ।