ଭଦ୍ରକ – ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ୍ ଓ ପାରା ମିଲ୍ଟାରୀ ଫୋର୍ସର ଆକ୍ରମଣ ବିରୁଦ୍ଧରେ ଭାରତର ଛାତ୍ର ଫେଡେରେସନ୍ (ଏସ୍ଏଫ୍ଆଇ) ଭଦ୍ରକ ଜିଲା କମିଟି ପକ୍ଷରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କୁଳପତି ବିଜେପିର ଏଜେଣ୍ଟ ଭାବେ କାର୍ଯ୍ୟ କରିବା ସହ ଗଣତାନ୍ତ୍ରିକ ଭାବେ ଆନ୍ଦୋଳନ ଚଳାଇଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୁଲିସ୍କୁ ଲଗାଇ ଲାଠି ମାଡ, ଲୁହ ବୁହା ଗ୍ୟାସ୍ ପ୍ରୟୋଗ ସହ ପାରା ମିଲ୍ଟାରୀ ଫୋର୍ସ ଲଗାଇ ଯେଉଁଭଳି ଆକ୍ରମଣ କରିଛନ୍ତି, ତାକୁ ଏସ୍ଏଫ୍ଆଇ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଜେଏନ୍ୟୁ ବିଶ୍ୱର ଅଦ୍ୱିତୀୟ ବିଶ୍ୱବିଦ୍ୟାଳୟ ହୋଇଥିବାବେଳେ ଏଥିରୁ ପ୍ରତ୍ୟେକ ବର୍ଷ ବହୁ ମେଧାବୀ ଛାତ୍ରଛାତ୍ରୀ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଦେଶର ଗୌରବ ବୃଦ୍ଧି କରୁଛନ୍ତି । ଏପରି ସ୍ଥଳେ ଫାଶୀବାଦୀ କେନ୍ଦ୍ର ସରକାର ଏହାର ଛାତ୍ରଛାତ୍ରୀଙ୍କ ଉପରେ ଯେଭଳି ଆକ୍ରମଣ କରି ମିଥ୍ୟା ମୋକଦ୍ଦମାମାନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦାର ବିଷୟ ବୋଲି ଆଜି ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ମତ ପ୍ରକାଶ ପାଇଛି । ବିଶେଷକରି ଏହି ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ଓ ଆନ୍ଦୋଳନରତ ଛାତ୍ରମାନଙ୍କ ବିରୁଦ୍ଧରେ ମୋଦି ସରକାର ଯେଉଁ ଷଡଯନ୍ତ୍ର ରଚିଛନ୍ତି, ତାହାକୁ ଏସ୍ଏଫ୍ଆଇ କେବେ କ୍ଷମାଦେବ ନାହିଁ ବୋଲି ଆଜିର ଏହି ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରିଥିବା ନେତା ଦୀପକ ଦାସ ଆହ୍ୱାନ ଦେଇଥିଲେ । ଏହି ସଭାରେ ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ଶ୍ରମିକ ନେତା ଦିବ୍ୟସିଂ ନାୟକ, ରାଧା ଦାସ, ଛାତ୍ର ନେତା ସୂର୍ଯ୍ୟ ନାୟକ, ବିକ୍ରମ ନାୟକ, ରାଜେନ୍ଦ୍ର ନାଥ, ଲିଟନ ପ୍ରସାଦ ନାଥ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏବଂ ଜେଏନ୍ୟୁ ଛାତ୍ରମାନଙ୍କ ବିରୁଦ୍ଧରେ ହେଉଥିବା ଷଡଯନ୍ତ୍ର ଆଗାମୀ ଦିନରେ ଓଡ଼ିଶାରେ ତୀବ୍ର ଆନ୍ଦୋଳନ ଗଢିତୋଳିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।
Related Stories
November 24, 2024
November 24, 2024