ପୁରୀ, ଦୀର୍ଘଦିନ ଧରି ପୁରୀରେ ପୌରପାଳିକା ନିର୍ବାଚନ ହେଉନାହିଁ। ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ପୌରପାଳିକାରେ ବିଭିନ୍ନ ପ୍ରକାର ନିଷ୍ପତି ନିଆଯାଉଛି, ପୁରୀ ବାସୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖାଯାଉ ନାହିଁ । ବର୍ତ୍ତମାନ ପୁରୀ ପୌରସଦନ ଶୀତତାପନିୟନ୍ତ୍ରିତ ହେବାପରେ ପ୍ରାୟ ୫ ଗୁଣ ଦର ବୃଦ୍ଧି ହୋଇ ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଯାହା ପୁରୀର ବିଭିନ୍ନ ବେସରକାରୀ ସଙ୍ଗଠନ ପାଇଁ ଧାର୍ଯ୍ୟ ହୋଇଥିବା ବର୍ଦ୍ଧିତ ଦର ଦେଇ କୌଣସି ସାଂସ୍କୃତିକ ବା ସାଂଗଠନିକ କାର୍ଯ୍ୟକ୍ରମ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଆଗକୁ ପୌର ନିର୍ବାଚନ ହୋଇ ଜନପ୍ରତିନିଧି ନିର୍ବାଚିତ ହୋଇ ପୁରୀ ବାସୀଙ୍କ ମତାମତ ନେବା ପର୍ଯ୍ୟନ୍ତ ବର୍ତ୍ତମାନ ଦରକୁ ହ୍ରାସ କରିବା ଦାବିରେ ଆମ୍ ଆଦ୍ମୀ ପାର୍ଟି (ଆପ) ୟୁଥ୍ ୱିଙ୍ଗ ତରଫରୁ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଆପ କର୍ମୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଥାଶୀଘ୍ର ନୋ ପ୍ରଫିଟ ନୋ ଲସ ହିସାବରେ ଦର କମ୍ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ବିରୋଧ ପ୍ରଦର୍ଶନରେ ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀଙ୍କ ନେତୃତ୍ଵରେ ସୁଧାଂଶୁ ଶେଖର ନାଏକ, ସୁନୀଲ ଜେନା, ରାକେଶ କୁମାର ନନ୍ଦ, ଅନିଲ କୁମାର ସେନାପତି, ଚିନ୍ମୟୀ ରଥ, ପାର୍ବତୀ ପ୍ରଧାନ, ଅଜୟ କୁମାର ନାୟକ, ରଞ୍ଜନ କୁମାର ପ୍ରଧାନ, ଏସ. ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।