ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଂସାମାରୀ ଗ୍ରାମରେ ପୋଲିସ ମଙ୍ଗଳବାର ସକାଳୁ ଜଣେ ଯୁବକଙ୍କ ଘରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଗ୍ରାମର ଗଦାଧର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ସାନଖେମୁଣ୍ଡି ବ୍ଲକ କଂସାମାରୀ ଢେପସାହିର ବାଙ୍କୁଲୁ ବେହେରାଙ୍କ ପୁଅ ଅଭିଯୁକ୍ତ ଗଦାଧର ଦୀର୍ଘ ଦିନ ଧରି ବେଆଇନ ଭାବେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଯାହାଫଳରେ ସ୍ଥାନୀୟ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରାଯାଇ ଗତକାଲି ଭୋର୍ ୫ଟାରେ ଅଭିଯୁକ୍ତଙ୍କ ଘରେ ଚଢଉ କରାଯାଇଥିଲା । ଏହି ଚଢଉ ସମୟରେ ପୋଲିସ ଘର ଭିତର ଅନୁସନ୍ଧାନ କରି ୨ ଟି ବସ୍ତାରେ ରଖାଯାଇଥିବା ଗଞ୍ଜେଇ ଜବତ କରିବା ସହ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଉକ୍ତ ଦୁଇ ବସ୍ତାରେ ଥିବା ଗଞ୍ଜେଇ ଓଜନ କରିବା ପରେ ସେଥିରେ ୫୯ କେଜି ୨୦୦ ଗ୍ରାମ ରହିଥିବା ଜଣାପଡିଛି । ଯାହାର ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି । ଏଥିସହ ଏହି ବେଆଇନ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଅନ୍ୟ ଜଣେ ସମ୍ପୃକ୍ତ ରହିଥିବା ବେଳେ ଖୁବଶିଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢଉ ପରେ ଏସଆଇ ମିଲନ ପାଣିଗ୍ରାହୀଙ୍କ ଏତଲା କ୍ରମେ ଥାନା ମାମଲା ନଂ ୧୭୨/୨୨ ଦଫା ୨୦(ବି) ଆଇଆଇ(ସି)/ ଏନଡିପିଏସ୍ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ଏକ ମୋକଦ୍ଦମା ରୁଜୁ କରାଯାଇ ତାକୁ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଛି ।