ବୌଦ୍ଧ, ମଦ୍ୟପ ସ୍ଵାମୀର ଗୁଳି ମାଡ଼ରେ ଟଳିପଡିଲା ସ୍ତ୍ରୀ । ଘରୋଇ କଳହର କରୁଣ ପରିଣତି । ଘଟଣାରେ ସ୍ଵାମୀକୁ ଗିରଫ କରିଛି ପୋଲିସ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଂଚାୟତ ଗେରେଡ଼ିସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗେରେଡ଼ିସାହିର ରୋହିତ ମଲ୍ଲିକ (୨୫) ଗତକାଲି ଅପରାହ୍ନ ୧ଟା ସମୟରେ ଅତ୍ୟଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦)ଙ୍କୁ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ହରଭଙ୍ଗା ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ରୋହିତକୁ ଗ୍ରାମବାସୀ କାବୁ କରି ହରଭଙ୍ଗା ଥାନାକୁ ଖବର ଦେଇଥିଲେ ।
ରୋହିତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଘରୋଇ କଳହ ଲାଗିରହିଥିଲା । ଫଳରେ ଉତ୍ୟେକ୍ତ ହୋଇ ରୋହିତ ତା ସ୍ତ୍ରୀ ଉପରକୁ ଗୁଳି ଚଳାଇ ଥିଲା । ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଂଚି ଅଭିଯୁକ୍ତକୁ ଥାନାକୁ ଆଣି ଅଟକ ରଖିଛି । ତାକୁ ଏନେଇ ପଚରା ଉଚୁରା ଜାରୀ ରହିଥିବା ନେଇ ହରଭଙ୍ଗା ଥାନା ତଦନ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି ।