
-
ଦୋଷୀକୁ୧୦ ବର୍ଷ ଜେଲ ଓ ଦଶ ହଜାର ଜରିମାନା
କନ୍ଧମାଳ, ଏକ ୧୬ ବର୍ଷର ନାବାଳିକା ସହିତ ଦୁଷ୍କର୍ମ ମାମଲାର ବିଚାରଣ କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି, ସଞ୍ଜିବ କୁମାର ବେହେରା, ପୀଡିତାଙ୍କ ପକ୍ଷରୁ ୧୫ ଜଣ ଓ ଅଭିଯୁକ୍ତ ପକ୍ଷରୁ ଜଣେ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ପୀଡିତାଙ୍କ ବୟାନ ଓ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଂଚଳର ଗଣ୍ଡାକାଠୀ ଗାଁର ସିଗ୍ନେ ବେହେରାକୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନାରେ ଦନ୍ଡିତ କରିଛନ୍ତି। ଜରିମାନା ଅନାଦୟେ ତାକୁ ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ଦେଇଛନ୍ତି ବିଚାରପତି।
ସୂଚନା ଅନୁଯାୟୀ, ଗତ ଜୁନ୍ ୨୦ ତାରିଖ ୨୦୧୯ ଘଟଣା ଦିନ ପୀଡିତା (୧୬) ତାଙ୍କର ଘରେ ଏକୁଟିଆ ଥିବା ଜାଣି ଅଭିଯୁକ୍ତ ସିଗ୍ନେ ଅପରାହ୍ନ ୩ ଟା ବେଳେ ପିଡିତାଙ୍କ ଘରେ ପଶି ପୀଡିତାଙ୍କ ମୁହଁରେ ଗାମୁଛା ଦେଇ ତା ସହିତ ଦୁଷ୍କର୍ମ କରୁଥିଲା। ଏହି ସମୟରେ ପିଡିତାଙ୍କ ବାପା ହଠାତ୍ ଘରକୁ ଆସି ଏହା ଦେଖି ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଖସି ଚାଲି ଯାଇଥିଲା। ପୀଡିତାଙ୍କ ବାପା ଏନେଇ ଗାଁ କମିଟିରେ ସଭା କରିଥିଲେ। ଏ ସଂକ୍ରାନ୍ତରେ ୨୪ ଜୁନ ୨୦୧୯ ରେ ପୀଡିତା ନିଜେ ଫୁଲବାଣୀ ସଦର ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସଦର ଥାନା ପୋଲିସ ଏକ ମାମଲା ୫୪/୨୦୧୯ ରୁଜୁ କରିବା ସହ ଅଭିଯୁକ୍ତ ସିଗ୍ନେକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି ସେହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପିଡିତାଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲାର ପରିଚାଳନା କରିଥିଲେ।