ଭଞ୍ଜନଗର (ରାଜେଶ ପଣ୍ଡା): ଦିନ ଦି-ପହର ହେବ। ବିନ୍ଦୁ ନାୟକଙ୍କ ପରିବାରର ସମସ୍ତେ ଘରେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। କିନ୍ତୁ ହଠାତ୍ ଖଣ୍ଡା ଧରି ଘର ଭିତରକୁ ପଶି ଆସିଲେ ୪ରୁ ୫ ଲୋକ। ବିନ୍ଦୁଙ୍କ ପରିବାର ଲୋକ କିଛି କହିବା ପୂର୍ବରୁ ପୂରା ପରିବାରକୁ ଖଣ୍ଡା ଚୋଟରେ ହାଣିବାକୁ ଲାଗିଲେ ଦୁର୍ବୃତ୍ତ। ଏହି ଘଟଣାରେ ବିନ୍ଦୁଙ୍କ ପୁଅ ମନୋଜଙ୍କର ପ୍ରାଣ ଚାଲିଗଲା। ଆଉ ୪ ଜଣ ଏବେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି। ଆଜି ଏମିତି ସଂଘବଦ୍ଧ ଆକ୍ରମଣ ହୋଇଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଞ୍ଚଳର ନୂଆଗାଁର ବିନ୍ଦୁ ନାୟକଙ୍କ ଘରେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାରେ ବିଦୁ, ତାଙ୍କ ପୁଅ ମନୋଜ, ସ୍ତ୍ରୀ ଗେଲି, ବିଦୁଙ୍କ ବାପା ପୁନିଆ ଓ ମାଆ ଇନ୍ଦୁ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ସୋରଡ଼ା ଥାନା ପୁଲିସ ଗାଁରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲା। ତେବେ ମନୋଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ଏବେ ମଧ୍ୟ ବିଦୁ, ତାଙ୍କ ସ୍ତ୍ରୀ ଗେଲି, ତାଙ୍କ ବାପା ପୁନିଆ ଓ ମାଆ ଇନ୍ଦୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କପନ୍ନ ରହିଛି।
ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସାହି ବିବାଦରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି।