
ବୌଦ୍ଧ, ଟ୍ରେଜେରିରୁ ବାହାରିଲା ପୁଳା ପୁଳା ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଶତାଧିକ ବର୍ଷ ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷର ପୁରୁଣା ଅଳଙ୍କାର ସବୁ । ବୌଦ୍ଧ ମ୍ୟୁଜିୟମ ଆରମ୍ଭ କରାଯାଇଥିବା ବେଳେ ସରକାରି ଟ୍ରେଜେରିରେ ଅବହେଳିତ ହୋଇ ବାହାରେ ପଡିଥିବା ୩-୪ ଟି ପୁରୁଣା ଲୁହା ନିର୍ମିତ ଟ୍ରେଜେରି ଅଣାଯାଇଥିଲା । ସେହି ପୁରୁଣା ଟ୍ରେଜେରି ମଧ୍ୟରୁ ଗୋଟିଏ ଟ୍ରେଜେରିରୁ ବାହାରିଛି ପୁଳା ପୁଳା ପୁରୁଣା ଅଳଙ୍କାର । ମ୍ୟୁଜିୟମ ପରିସରରେ ବାହାରେ ପଡିଥିବା ସେହି ପୁରୁଣା ଟ୍ରେଜେରି ସବୁକୁ ସଫା କରି ରଙ୍ଗ କରିଦେବା ପାଇଁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଆଦେଶ ଦେଇଥିଲେ । ଆଜି ଟ୍ରେଜିରର ତାଲା ଭଙ୍ଗାଯାଇ ଖୋଲିବା ସମୟରେ ତାହା ଭିତରୁ ବାହାରିଥିଲା ଅଳଙ୍କାର ସବୁ । ଖବର ପାଇ ଜିଲାପାଳ ଏବଂ ଅନ୍ୟମାନେ ମ୍ୟୁଜିୟମ ପରିସରରେ ପହଁଚି ସବୁ ତଦାରଖ କରିଥିଲେ । ପରେ ବଣିଆମାନଙ୍କୁ ଡକାଯାଇ ବାହାରିଥିବା ଅଳଙ୍କାର ସବୁର ସଫେଇ କାମ ଚାଲିଛି । ପ୍ରାଥମିକ ଭାବେ ସବୁ ରୂପା ଅଳଙ୍କାର, ଦେବାଦେବୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଭଳି ଅନୁମାନ କରାଯାଉଛି । ଅଳଙ୍କାର ମଧ୍ୟରେ ମୁଖ୍ୟତଃ ରୂପାର ହୋଇଥିବା ବେଳେ ସବୁ ସଫା କରାଯିବା ପରେ ସଠିକ ତଥ୍ୟ ଜଣାପଡିବ । ବର୍ତମାନ ସବୁ ଅଳଙ୍କାର ଗୁଡିକର ସଫେଇ କାର୍ଯ୍ୟ ଚାଲିଛି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯିବା ସହ ପ୍ରଶାସନିକ ଅଧିକାରିମାନେ ଉପସ୍ଥିତ ରହିଛନ୍ତି ।