ପାରାଦୀପ – ପାରାଦୀପ ବନ୍ଦର ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ ମହାସମାରୋହରେ ମଙ୍ଗଳବାର ପୂର୍ବାହ୍ନରେ ବନ୍ଦର ନିସିଦ୍ଧାଞ୍ଚଳ ସ୍ଥିତ ୟୋଟେ ବେସିନ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ୍ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ଶୈଳୀରେ ସଜ୍ଜିତ ସାଧବ ଓ ସାଧବାଣୀଙ୍କ ଗହଣରେ ବୋଇତ ବନ୍ଦାଣ କରିଥିଲେ। ଏକ ସ୍ୱତନ୍ତ୍ର ଭାବରେ ସଜ୍ଜିତ ବୋଇତରେ ଅଧ୍ୟକ୍ଷ ଶ୍ରୀ ରାୟ ବନ୍ଦର ମଧ୍ୟରେ ଜଳାଯାତ୍ରା କରିଥିଲେ।
ଆୟୋଜିତ ସଭାରେ ବନ୍ଦର ଉପ ସଂରକ୍ଷକ କ୍ୟାପେଟେନ ଅତୁଲ୍ୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଅଧ୍ୟକ୍ଷ ଶ୍ରୀ ରାୟ ତାଙ୍କ ଅଭିଭାଷଣରେ ପାରାଦୀପ ବନ୍ଦରର ଇତିହାସ ବର୍ଣ୍ଣନା କରି କହିଲେ ଯେ, ଏକଦା ୧୯୯୫ ମସିହାରେ ବାର୍ଷିକ ୧୦ ନିୟୁତ ଟନ୍ ପଣ୍ୟ ପରିବହନ କରୁଥିବା ପାରାଦୀପ ବନ୍ଦର ୨୦୧୭-୨୦୧୮ ମସିହାରେ ୧୦୦ ନିୟୁତ ଟନ୍ ପଣ୍ୟ ପରିବହନ କରି ଭାରତର ଦ୍ୱିତୀୟ ବୃହତ୍ତମ ବନ୍ଦର ଭାବେ ପରିଗଣିତ ହୋଇଛି।
ଏଥି ସହିତ ପାରାଦୀପରେ ଏକ ଲଜିଷ୍ଟିକ ପାର୍କ, ଦ୍ୱିତୀୟ ଓଭର ବ୍ରିଜ ରାସ୍ତା ନିର୍ମାଣ ଓ ଲୁଣା ପାଣିରୁ ମଧୁର ଜଳ ପ୍ରକଳ୍ପ ଖୁବ ଶୀଘ୍ର ନିର୍ମାଣ ହେବ। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ସବୁଜ ବଳୟ ପାଇଁ ୫ ଲକ୍ଷ ବୃକ୍ଷ ରୋପଣ କରାଯାଇଛି। ଯାନ୍ତ୍ରିକ ଗାଡି ଦ୍ୱାରା ରାସ୍ତାରୁ ଧୂଳି ସଫା କରିବା ଓ ପାଣି ଛିଞ୍ଚିବା କାର୍ଯ୍ୟ କରାଯାଇଛି। ସେହିପରି ୨୫୦ ଜଣ ଦରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି।
ଆଗାମୀ ଦିନରେ ପାରାଦୀପ ବନ୍ଦର ଦେଶର ଶ୍ରେଷ୍ଠ ବନ୍ଦର ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଏହି ସଭାରେ ବନ୍ଦର ବୈଦ୍ୟୁତିକ ଓ କାରିଗରୀ ବିଭାଗର ମୁଖ୍ୟ ଯନ୍ତ୍ରୀ ଶ୍ରୀ ସରୋଜ କୁମାର ଦାସ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପି. ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବନ୍ଦର ବିଭିନ୍ନ ବିଭାଗରେ କାର୍ଯ୍ୟରତ କୁଶଳୀ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।