ନୂଆଦିଲ୍ଲୀ – ଦିଲ୍ଲୀର ଜବାହାର ଲାଲ ନେହେରୁ ୟୁନିଭରସିଟି(ଜେଏନୟୁ) ରେ ଆଜି ଦୀକ୍ଷାନ୍ତ ଉତ୍ସବ ପାଳନ କରାଯାଉଥିବା ବେଳେ ଜେଏନୟୁ ଛାତ୍ର ସଂଘ ଏହାର ବିରୋଧ କରି ଶୋଭାଯାତ୍ରା ବାହାର କରିଥିଲା । ହଷ୍ଟେଲ ଫି ବୃଦ୍ଧି ଓ ଡ୍ରେସ୍ କୋର୍ଡ ପ୍ରସଙ୍ଗକୁ କେନ୍ଦ୍ର କରି ଛାତ୍ରଛାତ୍ରୀମାନେ ଭିସିଙ୍କ ବିରୋଧରେ କ୍ୟାମ୍ପସ୍ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଛାତ୍ର ଆନେ୍ଦାଳନକୁ ରୋକିବା ପାଇଁ ବହୁ ମାତ୍ରାରେ ଦିଲ୍ଲୀ ପୋଲିସ୍ ଓ ସିଆପିଏଫ୍ ଯବାନ ନିୟୋଜିତ କରାଯାଇଛି । ଆନେ୍ଦାଳନକାରୀ ଛାତ୍ରଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ୍ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ତେବେ ବେଳକୁ ବେଳ ଆନେ୍ଦାଳନ ଯୋରଦାର ହେବାରୁ ପୋଲିସ୍ ସେମାନଙ୍କୁ ଘଉଡାଇବା ପାଇଁ ପାଣି ମାଡ କରିଥିଲା । ଆନେ୍ଦାଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ୍ ବ୍ୟାରିକେଟ୍ ବସାଇଥିବା ବେଳେ ସେମାନେ ଏହାକୁ ଫିଙ୍ଗି ଆଗକୁ ବଢିବାକୁ ଚେଷ୍ଟା କରିଥିଲେ । ଫଳରେ ପୋଲିସ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
ଆନେ୍ଦାଳନକାରୀ ଛାତ୍ରଛାତ୍ରୀ କହିଛନ୍ତି ଯେ ଯଦି ଫିସ୍ କମାଇବା ପାଇଁ ରହିଥିବା ସେମାନଙ୍କ ଦାବିକୁ କର୍ତୃପକ୍ଷ ସ୍ୱୀକାର କରୁନାହାନ୍ତି ତେବେ ଦୀକ୍ଷାନ୍ତ ଉତ୍ସବକୁ ସେମାନଙ୍କୁ ସ୍ୱୀକାର ନାହିଁ । ହଷ୍ଟେଲରେ କୌଣସି ସର୍ଭିସ୍ ଚାର୍ଜ ନଲଗାଇବା , ଡ୍ରେସ୍ କୋଡ୍ ଲାଗୁ ନକରିବାଏବଂ ହଷ୍ଟେଲରେ ଯିବା ଆସିବା ସମୟ ଉପରେ ଥିବା କଟକଣାକୁ ହଟାଇବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଆନେ୍ଦାଳନ ସତ୍ୱେ କ୍ୟାମ୍ପସ୍ ମଧ୍ୟରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଜାରୀ ରହିଥିଲା । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଓ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।