ଭୁବନେଶ୍ୱର – ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏନ୍.ଶେଷାନଙ୍କ ପରଲୋକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତଥା ରମଣ ମାଗାସେସେ ପୁରସ୍କାର ବିଜେତା ଟିଏନ ଶେଷାନଙ୍କ ପରଲୋକ ଖବର ଦୁଃଖଦାୟକ । ସେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିଥିଲେ । ଗଣତନ୍ତ୍ର ପ୍ରତି ତାଙ୍କର ସମର୍ପଣ ଭାବ ପାଇଁ ବିଭନ୍ନ ଦଳର ନେତା ତାଙ୍କର ସମ୍ମାନ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ ଟି.ଏନ୍. ଶେଷାନଙ୍କର ଗତକାଲି ହୃଦଘାତରେ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ସେ ୧୯୯୦ରୁ ୧୯୯୬ ଯାଏ ଭାରତର ୧୦ମ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇଥିଲେ । ନିଜ କାର୍ଯ୍ୟକାଳରେ ସେ କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ଏଥିରେ ସଂସ୍କାର ଆଣିପାରିଥିଲେ । ଭୋଟିଂ ଅନିୟମିତତାକୁ ରୋକିବା ପାଇଁ ଦେଶରେ ଭୋଟର ପରିଚୟ ପତ୍ର ଲାଗୁ କରିବାରେ ମଧ୍ୟ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।
Related Stories
December 28, 2024