● ଅନ୍ ଲାଇନ୍ ଅର୍ଡର କଲେ ଆମାଜନ୍ ପହଞ୍ଚେଇବ ଘରେ
ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ : ବାଲେଶ୍ଵର କଳିଙ୍ଗ ହୋଟେଲ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହେଲା ‘ହେଲଥ୍ ଲାଇନ୍’ ଓ ‘ବ୍ୟାଙ୍କିଙ୍ଗ୍ ଡିରେକ୍ଟୋରୀ’ ନାମକ ଦୁଇଟି ଉପାଦେୟ ସୂଚନା ପୁସ୍ତକ। ଭୂୁବନେଶ୍ୱରର ଅନ୍ୟତମ ସମ୍ଭ୍ରାନ୍ତ ପ୍ରକାଶନୀ ସଂସ୍ଥା ‘ବିଜ୍ଞାପନ’ କର୍ତ୍ତୃକ ସଦ୍ୟ ପ୍ରକାଶିତ ଏହି ଦୁଇଟି ପୁସ୍ତକର ସମୀକ୍ଷା ନିମନ୍ତେ ସଂସ୍ଥା ପକ୍ଷରୁ ସ୍ଥାନୀୟ କଳିଙ୍ଗ ହୋଟେଲ ପରିସରରେ ଏକ ଉନ୍ମୋଚନ ଆସର ଅନୁଷ୍ଠିତ ହୋଯାଇଛି ।
ରାଜ୍ୟର ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଆର୍ଥିକ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ର, ଅଟୋ ମୋବାଇଲ୍ ସହ ରାଜନୈତିକ କ୍ଷେତ୍ର ସମ୍ପର୍କିତ ବିଭିନ୍ନ ତଥ୍ୟକୁ ନେଇ ପ୍ରସଙ୍ଗଭିତ୍ତିକ ସ୍ୱତନ୍ତ୍ର ଡିରେକ୍ଟୋରୀମାନ ଏହି ସଂସ୍ଥା ନିୟମିତ ଭାବେ ପ୍ରକାଶ କରି ଆସୁଛି । ସଂସ୍ଥା ପକ୍ଷରୁ ମଧ୍ୟ ‘ଏ ମିରର୍ ଅଫ୍ ଫାଇନାନସିଆଲ୍ ଇନଷ୍ଟିଚ୍ୟୁସନ୍ସ ଆଣ୍ଡ୍ ବ୍ୟାଙ୍କସ୍ ଇନ୍ ଓଡ଼ିଶା’, ‘ହେଲଥ୍ ଲାଇନ୍’, ‘ଆମ ସମୟର ଶିଳ୍ପ’, ‘ଫ୍ରାଗ୍ରାନ୍ସ ଅଫ୍ ଓଡ଼ିଶା’, ‘ଓଡ଼ିଶା ରାଜନୀତି’, ‘ଅଟୋ ଗ୍ଲାମର୍’, ‘ଫୁଡ଼ ଇଣ୍ଡଷ୍ଟ୍ରିଜ୍ ଅଫ୍ ଓଡ଼ିଶା’ ଓ ‘ବିଜ୍ଞାପନ୍ କ୍ୟାରିୟର୍ ଗାଇଡ଼୍’ ପ୍ରଭୃତି ସମ୍ପର୍କିତ ଗ୍ରନ୍ଥ ମାନ ପ୍ରକାଶ ପାଇଛି ।
ପୂର୍ବରୁ ଭୁବନେଶ୍ୱର ଠାରେ ‘ହେଲଥ ଲାଇନ’ ଓ ‘ଏ ମିରର ଅଫ୍ ଫାଇନାନସିଆଲ୍ ଇନିଷ୍ଟିଚ୍ୟୁସନ୍ସ ଆଣ୍ଡ୍ ବ୍ୟାଙ୍କସ୍ ଇନ୍ ଓଡ଼ିଶା’ ଉନ୍ମୋଚିତ ହୋଇଥିଲା ବେଳେ ସଂପ୍ରତି ବାଲେଶ୍ଵର ଠାରେ ଏହାର ଅଧିକ ପ୍ରସାରଣ ତଥା ବିକ୍ରୟ ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ସଂସ୍ଥାର ନିର୍ଦ୍ଦେଶକ ମନୋଜ ପୃଷ୍ଟି ଓ ମାର୍କେଟିଂ ମୁଖ୍ୟ ସର୍ବେଶ୍ୱର ରାଉତରାୟ ଉପସ୍ଥିତ ଥିଲେ। ପୁସ୍ତକ ଦୁଇଟି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରି ଶ୍ରୀ ପୃଷ୍ଟି ‘ହେଲଥଲାଇନ’ ପୁସ୍ତକରେ ରାଜ୍ୟର ସରକାରୀ ଓ ଘରୋଇ ମେଡ଼ିକାଲ କଲେଜ, ସରକାରୀ ଡାକ୍ତର, ନର୍ସିଂହୋମ୍, ହସପିଟାଲ, ଡାଏଗ୍ନୋଷ୍ଟିକ ସେଣ୍ଟର, କ୍ଲିନିକ ଆଦିର ତଥ୍ୟ ରହିଥିବା କଥା କହିଥିଲେ। ସେହିପରି ‘ଏ ମିରର୍ ଅଫ୍ ଫାଇନାନସିଆଲ୍ ଇନଷ୍ଟିଚ୍ୟୁସନ୍ସ ଆଣ୍ଡ୍ ବ୍ୟାଙ୍କସ୍ ଇନ୍ ଓଡ଼ିଶା’ରେ ଆମ ରାଜ୍ୟରେ କାର୍ଯ୍ୟରତ ସମସ୍ତ ରାଷ୍ଟ୍ରାୟତ୍ତ, ଘରୋଇ ଓ ବିଦେଶୀ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ, କେନ୍ଦ୍ର ସମବାୟ ବ୍ୟାଙ୍କ ସହ ସହରାଞ୍ଚଳ ସମବାୟ ବ୍ୟାଙ୍କ, ବିଭିନ୍ନ ଆର୍ଥିକ ସଂସ୍ଥା, ମାଇକ୍ରୋ ଫାଇନାନ୍ସ, ମ୍ୟୁଚୁଆଲ ଫଣ୍ଡ, ଜୀବନ ବୀମା ଓ ଅନ୍ୟାନ୍ୟ ବୀମା ସେବା ଯୋଗାଉଥିବା କମ୍ପାନୀ ସମ୍ପର୍କରେ ତଥ୍ୟ ସନ୍ନିବେଶିତ ହୋଇଛି ବୋଲି ସେ ସୂଚନା ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ‘ବିଜ୍ଞାପନ’ ସଂସ୍ଥା ଦ୍ୱାରା ସଂକଳିତ ଓ ପ୍ରକାଶିତ ଓଡ଼ିଶା ରାଜନୀତିରେ ଆମ ରାଜ୍ୟର ସମସ୍ତ ଏନଏସି, ମ୍ୟୁନିସିପାଲିଟି, କର୍ପୋରେସନ ସଦସ୍ୟ ଓ ଅଧ୍ୟକ୍ଷଙ୍କ ଯୋଗାଯୋଗ ନମ୍ବର, ସଂସଦ ଓ ବିଧାୟକଙ୍କ ସମ୍ପର୍କରେ ସଂକ୍ଷିପ୍ତ ତଥ୍ୟ, ନିର୍ବାଚିତ ପ୍ରତିନିଧିଙ୍କ ସାକ୍ଷାତକାର, ପୁରସ୍କୃତ ପଞ୍ଚାୟତିରାଜ ପ୍ରତିନିଧିଙ୍କ ତାଲିକା ପ୍ରମୁଖ ରାଜନୈତିକ ଦଳଙ୍କ କର୍ମକର୍ତ୍ତାଙ୍କ ତାଲିକା, ସରକାରୀ ପଦବୀରେ ଥିବା ରାଜନୈତିକ ନେତୃବୃନ୍ଦଙ୍କ ତାଲିକା ତଥା ପଞ୍ଚାୟତ ସମ୍ପର୍କିତ କେତେକ ଆଲେଖ ଉପଲବ୍ଧ । ସେହିପରି ଆମ ସମୟର ଶିଳ୍ପରେ ରାଜ୍ୟରେ ୭୦୦୦ରୁ ଅଧିକ ଶିଳ୍ପ ସଂସ୍ଥା ସମ୍ପର୍କରେ ତଥ୍ୟ ରହିଛି ।
ଉପରୋକ୍ତ ଦୁଇ ପୁସ୍ତକର ବହୁଳ ପ୍ରଚାର ପ୍ରସାର ପାଇଁ ସହଯୋଗ କରିବାକୁ ଶ୍ରୀ ପୃଷ୍ଟି ନିବେଦନ କରିଥିଲା ବେଳେ ଏହା ବିଡ଼ିଏ କମର୍ସିଆଲ କମ୍ପ୍ଲେକ୍ସରେ ଥିବା କାର୍ଯ୍ୟାଳୟରେ ଉପଲବ୍ଧ ହେବା ସହିତ ‘ଆମାଜନ’ରେ ମଧ୍ୟ ଉପଲବ୍ଧ ହେଉଛି ବୋଲି ସୂଚନା ଦେଇଥିଲେ ।