
ମାଲକାନଗିରି, ମାଲକାନଗିରିରେ କାଳବୈଶାଖୀର ତାଣ୍ଡଵ ଦେଖିବାକୁ ମିଳିଛି । ଗତକାଲି ଅପରାହ୍ନରେ ଜିଲ୍ଲା ସଦର ମହକୁମାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି । ଏହାସହ ମୁଖ୍ୟ ଚିକିତ୍ସାଳୟରେ ପରିସରେ ଗୋଟିଏ ଅଟୋକୁ ପବନ ଉଡାଇ ଫିଙ୍ଗି ଦେଇଥିବାରୁ ଅଟୋଟି ଭାଙ୍ଗି ରୁଜି ଯାଇଛି । ମେଡ଼ିକାଲ ପରିସରରେ ବହୁ ଗଛ ମଧ୍ୟ ଭାଙ୍ଗି ପଡିଥିବା ବେଳେ ଚିକିତ୍ସାଳୟର ତୃତୀୟ ମହଲାରେ ଏକ କବାଟର କାଚ ଭାଙ୍ଗି ଜଣେ ଯୁବକ ଆହତ ହୋଇଛନ୍ତି । ଜିଲ୍ଲାରେ ଏହି ପବନ ବର୍ଷା ପ୍ରଭାବରେ ଅନେକ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ମଧ୍ୟ ଠପ ହୋଇଯାଇଥିଲା । ସଦର ମହକୁମାର ପ୍ରତେକ ୱାର୍ଡରେ ଲୋକଙ୍କ ଘରଦ୍ଵାର କ୍ଷୟକ୍ଷତି ହୋଇଥିବା ବେଳେ ୮ ନମ୍ବର ୱାର୍ଡରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଆଶୀର୍ବାଦ କଲୋନୀର ଅଧିକାଂଶ ସ୍ଥାନରେ ଘରକାନ୍ଥ, ଘର ଟିଣ ଏବଂ ଛାତ ଭାଙ୍ଗି ବହୁ ସମ୍ପତ୍ତି ନଷ୍ଟ ହେଇଛି। ତେବେ ଏହି ଖବର ପାଇବାପରେ ମାଲକାନଗିରି ଜିଲ୍ଲାର ନବନିର୍ବାଚିତ ପୋୖରାଧ୍ୟକ୍ଷ ମନୋଜ କୁମାର ବାରିକ ପ୍ରତେକ ୱାର୍ଡ ବୁଲି ଲୋକଙ୍କ ସହ କ୍ଷୟକ୍ଷତି ବିଷୟରେ ଆଲୋଚନା କରିବା ସହ ସରକାରଙ୍କ ନିୟମ ଅନୁଯାୟୀ କ୍ଷୟକ୍ଷତିର ସହାୟତା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।