ମାଲକାନଗିରି,ଚିତ୍ରକୋଣ୍ଡା ବ୍ଲକ ସଭାଗୃହରେ ଆଜି ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ଵରୀ ଖିଲ । ବୈଠକରେ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ଚିତ୍ରକୋଣ୍ଡା ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ବୀନନ୍ତ ଖିଲ ଉପସ୍ଥିତ ଥିଲେ । ଏହା ସହ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅଧୀନରେ ଥିବା ୧୮ ଗୋଟି ପଞ୍ଚାୟତର ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ ଉପସ୍ଥିତ ଥିଲେ ।
ଆଜିର ବୈଠକରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତିରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ନିଜ ନିଜ ଅଞ୍ଚଳରେ ଥିବା ସମସ୍ୟା ସମ୍ପର୍କରେ ଉପସ୍ଥିତ ଥିବା ପଞ୍ଚାୟତ ସମିତି ମେମ୍ବର ଓ ସରପଞ୍ଚମାନେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ । ସମସ୍ତ ପଞ୍ଚାୟତରେ ପାନୀୟଜଳ ସମସ୍ୟା ରହିଛି। ମେଗା ପାନୀୟଜଳ ପ୍ରକଳ୍ପ ଚାଲୁଅଛି, କାମ ସରୁନଥିବାରୁ ଅଞ୍ଚଳର ଲୋକମାନେ ପାନୀୟଜଳ ପାଇପରୁନାହାନ୍ତି । ସେଥିପାଇଁ ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । ସ୍ଵାସ୍ଥ୍ୟ ବିଭାଗର ଜନ୍ମମୃତ୍ୟୁ ପଞ୍ଜୀକରଣ, ଗାଁ କଲ୍ୟାଣ ସମିତି ଆଜି ପର୍ଯ୍ୟନ୍ତ ଚିତ୍ରକୋଣ୍ଡାରେ କାର୍ଯ୍ୟକାରୀ ହୋଇନଥିବାରୁ ଏଠାକୁ ଆଣିବାକୁ ସମସ୍ତ ସଦସ୍ୟ ଦାବି କରିଛନ୍ତି । ଶେଷରେ ସମସ୍ତ ସଦସ୍ୟ ଉପସ୍ଥିତ ଥିବା ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭାପତିଙ୍କୁ ଏନେଇ ଜଣାଇଥିଲେ । ଚିତ୍ରକୋଣ୍ଡାରେ ବ୍ଲକ ସ୍ଥାପନ ହେବାର ୭ ବର୍ଷ ବିତିଯାଇଥିଲେ ମଧ୍ୟ ସମସ୍ତ ବିଭାଗ ଆଜି ପର୍ଯ୍ୟନ୍ତ କୁଡୁମୁଲୁଗୁମ୍ମାରୁ ସ୍ଥାନାନ୍ତରଣ ହୋଇନାହିଁ । ଯଥାଶୀଘ୍ର ସମସ୍ତ ବିଭାଗ ଚିତ୍ରକୋଣ୍ଡାରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି ବୈଠକକୁ ପରିଚାଳନା କରିଥିଲେ ଚିତ୍ରକୋଣ୍ଡା ଜିପିଓ ହେମନ୍ତ କୁମାର ଭୂୟାଁ ।
ଆଜିର ବୈଠକରେ ଆଲୋଚିତ ହୋଇଥିବା ମୁଖ୍ୟ ବିଷୟ ଗୁଡ଼ିକ ହେଲା ପାନୀୟଜଳ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ପଶୁସମ୍ପଦ, ଜୀବିକା ମିଶନ, ଭତ୍ତା, ପ୍ରଧାମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି, ବିଜୁଳି ସମସ୍ୟା । ସମସ୍ତ ସଦସ୍ୟ ମୁଖ୍ୟତଃ ଚିତ୍ରକୋଣ୍ଡା ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଉପରେ ବିଇଓଙ୍କୁ ପ୍ରଶ୍ନ କରିଥିଲେ ।