ମାଲକାନଗିରି, ଆଦିବାସୀ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର ଓ ଦେଶିଆ ନାଟ ହେଉଛି ଆଦିବାସୀ କଳାସଂସ୍କୃତିର ମୂଳମନ୍ତ୍ର, ଏମାନଙ୍କ ନିଖୁଣ ଅଭିନୟର ଆତ୍ମିକ ପରି ପ୍ରକାଶ କଳାସଂସ୍କୃତିର ବାର୍ତାବହ ପାଲଟିଛି ବୋଲି ଜିଲ୍ଲାସ୍ତରୀୟ କଳାକାର କାର୍ଯ୍ୟକାରିଣୀ ସଭାରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭଵନ ପରିସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବନବାସୀ ଗବେଷକ ରତ୍ନାକର ଦାଶ, ସମ୍ମାନିତ ଅତିଥି ଭାବେ ମାଲ୍ୟବନ୍ତ ଦେଶିଆ ନାଟ୍ୟଗୁରୁ ସାଂସ୍କୃତିକ ସଙ୍ଗଠନର ସଭାପତି ନାଟ୍ୟଗୁରୁ ଅନାଦି କାଡା, ଜିଲ୍ଲା କଳାକାର ସାଂସ୍କୃତିକ ସଙ୍ଗଠନର ଉପସଭାପତି ଘେନୁ ମୁଦୁଲି, ନାଟ୍ୟଗୁରୁ ଧନଫୁଲ ବାରିକ, ଆଦିବାସୀ ଲେଖକ ଭଗବାନ ହନ୍ତାଳ, ବୁଦ୍ରା ପ୍ରସାଦ ନାୟକ, ସମାଜସେବୀ ଜୟନ୍ତୀ ବୁରୁଦା ପ୍ରମୁଖ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ କଳାସଂସ୍କୃତି ଲୋପ ପାଇବାକୁ ବସିଛି। ଆଦିବାସୀ କଳାସଂସ୍କୃତିକୁ କିପରି ଦେଶଦୁନିଆରେ ପରିଚିତ କରାଯାଇପାରିବ ଓ ସରକାରୀ ସଂସ୍ଥାର ସମସ୍ତ ଜନ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ସାମିଲ କରାଯାଇପାରିବ ସେଥିପ୍ରତି ଗୁରତ୍ଵ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟଗୁର ରାମଚନ୍ଦ୍ର ହନ୍ତାଳ, ବବନାଥ ବାରିକ, ମୁକୁନ୍ଦ ଝୋଲା, କୃଷ୍ନ ଚୌଧୁରୀ, ରାଜୁ ଗଣ୍ଡ ପ୍ରମୁଖ ଶତାଧିକ ନାଟ୍ୟଗୁରୁ ଓ କଳାକାର ମାନେ ଉପସ୍ଥିତ ରହି ସେମାନଙ୍କର ମତ ଉପସ୍ଥାପନ କରିଥିଲେ। ଏହି କର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ବିଭାଗର ସଂଯୋଜକ ଏମ.ତେଜସ୍ଵର ରାଓ ପରିଚାଳନା କରି ଆଗାମୀ ଦିନରେ ଜିଲ୍ଲାର ସାତଟି ଯାକ ବ୍ଳକରେ କଳାକାର ମାନଙ୍କୁ ନେଇ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଇ ସେମାନଙ୍କୁ କିପରି ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେଥିପ୍ରତି ଗୁରୁତ୍ଵ ଦିଆଯିବ ବୋଲି ସୂଚନା ଦେଇଥିଲେ।
ଏହି ଅବସରରେ କେତକ ନାଟ୍ୟଗୁରୁ ଓ କବି ସେମାନଙ୍କ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାତଟି ବ୍ଲକରୁ ଶତାଧିକ କଳାକାର ଓ ନାଟ୍ୟଗୁରୁ ମାନେ ଯୋଗଦେଇଥିଲେ।