-
ଶ୍ରେଷ୍ଠ ୬ଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ
ମାଲକାନଗିରି, କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ସ୍ମାର୍ଟ ସ୍କୁଲ ପରିସର ମଧ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଜିଲ୍ଲାର ୭ଟି ଯାକ ବ୍ଲକରୁ ମୋଟ ୪୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ପ୍ରତି ବ୍ଲକରୁ ୬ଟି ଲେଖାଏଁ ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲା । ଆଜି ପୂର୍ବାହ୍ନରେ ବ୍ଲକ୍ ଅଧ୍ୟକ୍ଷା ସୁବାସିନୀ ସୋଡ଼ି ଏହାକୁ ଉଦଘାଟନ କରିଥିଲେ । ସେହିପରି ଅପରାହ୍ନରେ ଅନୁଷ୍ଠିତ ଉଦଯାପନ ସମାରୋହରେ କାଲିମେଳା ମେଡିକାଲର ଡାକ୍ତର ଆବିଦ ହୁସେନ ଖାନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତଥି ଭାବରେ ଅବସରପ୍ରାପ୍ତ ବିଜ୍ଞାନ ନିରୀକ୍ଷକ କୃଷ୍ଣଚନ୍ଦ୍ର ବେବର୍ଷା, ମାଲକାନଗିରି ବ୍ଲକ୍ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରା, ଏବିଇଓ ଚିନ୍ତା ହରଣ ମଧୁ, ହାଇସ୍କୁଲର ପ୍ରଧାନଶିକ୍ଷକ ଜଗବନ୍ଧୁ ଶତୃଶଲ୍ୟ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ସଭାପତିତ୍ବ କରିଥିଲେ । ସେହିପରି ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ବିଜ୍ଞାନ ଶିକ୍ଷକ ସନ୍ଦୀପ୍ତ ଦାଶ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଖଇରପୁଟ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦେବରାଜ ସେଠୀ ।
ଏହି ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ ୬ଟି ପ୍ରକଳ୍ପକୁ ରାଜ୍ୟସ୍ତରକୁ ମନୋନୀତ କରାଯାଇଥିଲା । ସେଥି ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆର ମୁକ୍ତି ମୁଲି, କୋରୁକୋଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୀପିକା ସ୍ଵଇଁ, ଏମଭି – ୭୯ ସାବେରୀ ବିଦ୍ୟାପୀଠର ମୃୟା ବେଟୀ, ଏମଭି – ୭ ଜଗନ୍ନାଥପାଲୀ ଉଚ୍ଚ ବିଦ୍ୟାଳୟର ଅଙ୍କିତା ସାହା, ମାଲକାନଗିରି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରୋହନ କୁମାର ଏବଂ କୁଡୁମୁଲୁଗୁମ୍ମା ବ୍ଲକ୍ କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଧନେଶ୍ଵର ଦୋରାଙ୍କ ବିଜ୍ଞାନ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡ଼ିକୁ ବିଜ୍ଞାନ ଶିକ୍ଷକ ଝୁମା ମଣ୍ଡଳ ଓ ଆଲୋକ କୁମାର ନନ୍ଦ ପରିଦର୍ଶନ କରି ମୂଲ୍ୟାୟନ କରିଥିଲେ । କୁଡୁମୁଲୁଗୁମ୍ମା ବ୍ଳକ ସୋମନାଥପୁର ପଞ୍ଚାୟତର ଦୁର୍ଗମ ଆଦିବାସୀ ଗ୍ରାମ କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଥମ ଥର ପାଇଁ ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ରଣାଙ୍କ ତତ୍ଵାବଧାନରେ ଧନେଶ୍ଵର ଦୋରାଙ୍କ ସ୍ପଟୱାର ଆପ ପ୍ରକଳ୍ପ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ଚୟନ ହୋଇଥିବାରୁ ବ୍ଳକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଓ ବ୍ଳକ ଶିକ୍ଷକ ସଂଘ ଖୁସି ବ୍ୟକ୍ତ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଭିଭାବକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।