-
ସ୍ମାର୍ଟସିଟି ଅଫିସକୁ ନେଇ କଥା ଉଠୁଚି ପଡୁଛି
ରାଉରକେଲା, ରାଉରକେଲା ସହରର ସ୍ମାର୍ଟସିଟି ଅଫିସକୁ ନେଇ ଏବେ ଦୁଇ ଦିନ ଧରି କଥା ଖାଲି ଉଠୁଚି ପଡୁଛି, ଖୋଜା ଚାଲିଛି କିଏ ସେ ଇଂଜିନିୟର ଓ କିଏ ସେ ଯୁବକ ଯୁବତୀ । କଥା ଥାନାକୁ ମଧ୍ୟ ଯାଇଛି ହେଲେ ମାମଲା ହୋଇନଥିବା ଖବର ମିଳିଛି।
ଉଦିତନଗର ଥାନାରୁ ଖବର ମିଳିଛି ଯେ, ସ୍ମାର୍ଟ ସିଟିରେ କାମ କରୁଥିବା ଜଣେ ଇଂଜିନିୟର ବାବୁ କୁଆଡେ ଅଭିଯୋଗ ଥାନାରେ କରିଥିଲେ ଯେ, ତାଙ୍କୁ ଜଣେ ଯୁବକ ଜଣେ ଯୁବତୀଙ୍କ ନାମରେ ଧମକ ଚମକ ଦେଇ ଟଙ୍କା ମାଗୁଛି। ପୁଲିସ ସମ୍ପୃକ୍ତ ଯୁବକକୁ ଥାନାକୁ ଡାକି ପଚରା ଉଚରା କରିବା ସହ ସେ ଯୁବତୀ ଜଣକୁ ଡାକ ତାଙ୍କ ବୟାନ ନିଆଜିବ ବୋଲି କହିଥିଲେ ,ହେଲେ ଯୁବକ ଜଣକ ଏନେଇ ରାଜି ହେଲେ ନାହିଁ, ପରେ ପୁଲିସ ସେହି ଯୁବକ ଜଣକୁ କୌଣସି ମାମଲା ନକରି ଛାଡି ଦେଇଥିବା ଖବର ମିଳିଛି ।ଯଦି କଥା ଏଇଆ ତେବେ ଇଂଜିନିୟର ଜଣଙ୍କର ଅଭିଯୋଗ ପତ୍ର ଉପରେ ସେ ଯୁବକଙ୍କ ନାମରେ ସାଂଘାତିକ ଅଭିଯୋଗରେ ମାମଲା ହେବା କଥା ,କାରଣ ତାଙ୍କ ବିରୋଧରେ ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ ମେଲ କରିବା ଅଭିଯୋଗ ଓ ଚାନ୍ଦା ମାଗିବାର ଅଭିଯୋଗ ଥିଲା , କିନ୍ତୁ ଏନେଇ ପୁଲିସ ମାମଲା ରୁଜୁ କରିନଥିବା ଖବର ମିଳିଛି ।
ସେପଟେ ସେହି ଅଫିସର ଜଣେ ଇଂଜିନିଅର ବାବୁ କୁଆଡେ ସଂପୃକ୍ତ ଯୁବତୀ ଙ୍କୁ ଚାକିରୀ କରାଇଦେବାର ଲାଳସା ଦେଖାଇ ନାନା ପ୍ରକାର କାରବାର କରିଥିବା ନେଇ କଥା ଖାଲି ଉଠୁଚି ପଡୁଛି । ସ୍ମାର୍ଟ ସିଟି ଓ ଆରଏମସି କଥା,ଏଠି ଖାଲି ପୁଳା ପୁଳା ପଇସା, ହଜାର ହଜାର କୋଟୀ ର କାମ ସକାଳୁ ସଂଧ୍ୟା ଯାଏ ଚାଲିଛି । ଅନେକ ଠିକାଦାର ରାଜ୍ୟ ବାହାରୁ ଆସି କାମ କରୁଥିବା ବେଳରେ ରାତି ଦିନ ଏଠି ଅନେକ ଟହଲା ମାରୁଛନ୍ତି, ଏହି ଅଫିସରେ ପୂର୍ବରୁ ଦାୟିତ୍ଵରେ ଥିବା ଜଣେ ବଡ ମୁଖିଆ ଖାଲି ଧୁଆଁ ଓ ପାଣିରେ ସେ ସମୟରେ ମସଗୁଲ ହୋଇ ନାନା କାରବାରରେ ରହୁଥିବା ଖବର ମିଡିଆରେ ଆସିବା ପରେ ସରକାର ସେ ବାବୁଙ୍କୁ ଏକ ସପ୍ତାହ ଭିତରେ ଏଠୁ ବିଦା କରିଥିଲେ। ତାପରେ ଅନେକ ଲୋକ ଏହି ଅଫିସ ଉପରେ ନଜର ରଖିଛନ୍ତି । ତେବେ ଗତ ୨ ଦିନ ଭିତରେ ଉଦିତ ନଗର ଥାନାରେ ଇଂଜିନିଅର ବାବୁ ଅଭିଯୋଗ ପତ୍ର ଦେବା ଓ ପୁଲିସ ସମ୍ପୃକ୍ତ ଯୁବକକୁ ଧରି ସେ ଯୁବତୀଙ୍କୁ ଠାବ କରି ପଚରା ଉଚରା ନକରି ଛାଡି ଦେଇଥିବାରୁ ଏଠାରେ ଚାଲିଥିବା ବହୁ ଗୁଢ ରହସ୍ୟ କାରବାର ଉପରେ ପରଦା ପଡିଥିବା କୁହାଯାଉଛି । ତା ଛଡା ସବୁ ବେଳେ ନାଗର ପଣିଆ କାମରେ ମସଗୁଲ ରହୁଥିବା ବାବୁ କୁଆଡେ ଏହାକୁ ଚପେଇ ଦେବାକୁ ଚାପ ପକାଇଥିବାରୁ ପୁଲିସ ନୀରବ ରହିଥିବା କୁହାଯାଉଛି । ଏଭଳି ସ୍ଥିତିରେ ଉଭୟ ଅଫିସରେ କାମ କରୁଥିବା ମହିଳା ଯୁବତୀ ମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସେ ଯୁବତୀ ଓ ଯୁବକଙ୍କୁ ଖୋଜାଯାଇ ବାବୁ ଇଂଜିନିୟରଙ୍କ କଥା କଣ ବୁଝାଜିବା ଉଚିତ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।