-
ଖଣି ଦୁର୍ନୀତି ଉପରେ ଆଲୋଚନା ପାଇଁ ଅନୁମତି ଦେବାରେ ପଛଘୁଂଚା କାହିଁକି – ବିଜେପି
ଭୁୁବନେଶ୍ୱର, ବିଧାନସଭାରେ ବୁଧବାର ଦିନ ପୁଣି ଥରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠିଛି । ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରା ଯାଉଥିବା ବେଳେ କେବେ ହେଲେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁମତି ଦିଆ ଯାଇ ନ ଥିବାକୁ ଉଭୟ ବିରୋଧୀ ବିଜେପି କଂଗ୍ରେସ ଟାର୍ଗେଟ କରିଛନ୍ତି ।
ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ଖଣି ଦୁର୍ନୀତି ସମ୍ପର୍କରେ ଆଲୋଚନା କରିବାକୁ କଂଗ୍ରେସ ଦଳ ପକ୍ଷରୁ ଅଣା ଯାଇଥିବା ମୁଲତବୀ ପ୍ରସ୍ତାବ ନୋଟିସକୁ ବାଚସ୍ପତି କାଲି ଅସ୍ୱୀକାର କରି ଦେଇଥିଲେ । ଏହା ବର୍ତମାନର ପ୍ରସଙ୍ଗ ନୁହେଁ ବୋଲି କହି ସେ ଅସ୍ୱୀକାର କରିଥିଲେ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଶ୍ରୀ ମାଝୀ କହିଛନ୍ତି ଯେ ଖଣି ଦୁର୍ନୀତି ଅତୀତର ପ୍ରସଙ୍ଗ ନୁହେଁ ବରଂ ପ୍ରତି ଦିନ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଛି । ଏଥି ପାଇଁ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତିା ଖଣି ମାଲିକ ମାନେ ଖଣିଜ ସମ୍ପଦକୁ ନିମ୍ନ ମାନର ବୋଲି ଦର୍ଶାଇ ସରକାରଙ୍କୁ ଠକୁ ଛନ୍ତି ଓ ଶହ ଶହ କୋଟି ଟଙ୍କା ଲାଭ କରୁଛନ୍ତି । ଏହା ଗତ କାଲି ହେଉଥିଲା, ଆଜି ମଧ୍ୟ ହେଉଛି । ବାଚସ୍ପତି ଏହାକୁ ବର୍ତମାନର ବିଷୟ ନୁହେଁ ବୋଲି ଖାରଜ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି ।
କିନ୍ତୁ ଏହା ଦୁର୍ଭାଗ୍ୟର ବିଷୟ ଯେ ଯେତେବେଳେ ମଧ୍ୟ ଏହି ପ୍ରସଙ୍ଗ ବିଧାନସଭାରେ ଉଠା ଯାଉଛି ସେତେବେଳେ ଏହା ଉପରେ ଆଲୋଚନା ହେବାକୁ ଦିଆ ଯାଉ ନାହିଁ । ତେଣୁ କାହା ଚାପରେ ଏହି ଆଲୋଚନା କରିବାକୁ ରୋକା ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ଗତ କାଲି ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ନୋଟିସ ଆଣିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ କାଗଗଡାରେ ଠିଆ କରାଇଥିଲେ । ସେ କହିଥିଲେ ଯେ ଏହି ବିଧାନସଭା ଗଠିତ ହୋଇ ତିନି ବର୍ଷ ହେବାକୁ ଯାଉଛି ହେଲେ ଥରେ ହେଲେ ଖଣି ଦୁର୍ନୀତି ସମ୍ପର୍କରେ ଆଲୋଚନା କରିବାକୁ ଦିଆଯାଉ ନାହିଁ । ଏଇଥି ପାଇଁ ସରକାର ଖଣି ମାଲିକଙ୍କ ଚାପରେ କାମ କରୁଛନ୍ତି ବୋଲି ସାଧାରଣରେ ଚର୍ଚା ହେଉଛି ବୋଲି ସେ କହିଛନ୍ତି ।