ଖୋର୍ଦ୍ଧା, ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ମୃତକ ଜଣକ ପୁରୁଷ । ସେ ଟାଙ୍ଗୀରୁ ବାଲୁଗାଁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକଙ୍କ ବୟସ ୩୦ ରୁ ୩୫ ବର୍ଷ ହେବ । ବ୍ୟକ୍ତି ଜଣକ ଏକ ସ୍କୁଟିରେ ଟାଙ୍ଗୀରୁ ବାଲୁଗାଁ ଯାଉଥିବା ବେଳେ ରାସ୍ତାରେ ଗୋଟିଏ ମାଲ ବୋଝେଇ ଟ୍ରକ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିବାର ଜଣାପଡିଛି । ଦୁର୍ଘଟଣାଟି ଏଭଳି ଘଟିଛି ଯେ ସ୍କୁଟିଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଏହା ସହ ସ୍କୁଟି ଚାଳକଙ୍କ ମୃତ ଶରୀର ସମ୍ପୂର୍ଣ୍ଣ ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ତେଣୁ ମୃତ ବ୍ୟକ୍ତିଙ୍କୁ ଚିହ୍ନିବା ସମ୍ଭବ ହୋଇପାରି ନାହିଁ । ସ୍କୁଟି ନମ୍ବରରୁ ପୋଲିସ ଏନେଇ ଅନୁସନ୍ଧାନ ଜାରି ରଖିଛି ।
ସେହିପରି ବାଣପୁର ବ୍ଲକ ଅନ୍ତର୍ଗତ କୁଲେଇ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ରିକ୍ସା ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତି କରାଯାଇଛି । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ମୁତାବକ, ଗୁରୁତର ଆହତ ଜଣକ ଘର ବାଣପୁର ଥାନା କୁଲେଇ ଗ୍ରାମର ମୁନା ପ୍ରତିହାରୀ (୨୫ ବର୍ଷ) । ସେ ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ ଏକ ଅଟୋ ରିକ୍ସା ତାଙ୍କୁ ଧକ୍କା ଦେଇଥିଲା । ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲା । ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।