ଭଦ୍ରକ – ଭଦ୍ରକର ଐତିହାସିକ କାଳୀପୂଜାର ଶେଷଦିନ ରାତିରେ ଚରମ୍ପାରେ ଅନୁଷ୍ଠିତ ହେଉଥିବା ଇନ୍ଦ୍ରଭୂବନ ଅପେରା ନିକଟରେ କେତେକ ଦୃବୁର୍ତଙ୍କ ଭୁଜାଲି ମାଡରେ ଜଣେ ଯୁବକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ତେବେ ଆକ୍ରମଣକାରୀମାନେ ଫେରାର ଥିବାର ଜଣାପଡିଛି । ପ୍ରାପ୍ତ ଖବର ମୂଳେ ଦୁଇଦିନ ପୂର୍ବେ ଯାତ୍ରା କମିଟି କର୍ମକର୍ତାଙ୍କ ସହ ବଙ୍କସାହି ଗ୍ରାମର କିଛି ଯୁବକଙ୍କର ସାମାନ୍ୟ ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଯାତ୍ରା ଚାଲୁଥିବା ସମୟରେ ହଠାତ୍ ଏହି ଘଟଣାକୁ କେନ୍ଦ୍ରକରି କିଛି ଯୁବକ ପୁଲିସ୍ ଓ ସର୍ବସାଧାରଣଙ୍କ ସମ୍ମୁଖରେ ଯାତ୍ରା କମିଟିର କର୍ମକର୍ତା ଜିତୁ ପଢିଆରୀଙ୍କୁ ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ସେକ୍ ଏରସାଦ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ଥାଇ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣକାରୀମାନେ ନିସ୍ତୁକ ମାଡମାରି ହାତ ଭାଙ୍ଗିଦେବା ସହ ତାଙ୍କ ପିଠିରେ ମଧ୍ୟ ଗଭୀର ଆଘାତ କରିଛନ୍ତି । ତେବେ ଘଟଣାସ୍ଥଳରୁ ଦୃର୍ବୁତ୍ତମାନେ ଫେରାର ହୋଇଯାଇଥିବାବେଳେ ଉଭୟ ଗୁରୁତରଙ୍କୁ ଉପସ୍ଥିତ ସ୍ଥାନୀୟ ଲୋକେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ ଶ୍ରୀ ପଢିଆରୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେକ୍ ଏରସାଦ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ସହରାଂଚଳ ଥାନାରେ ମାମଲା ରୁଜୁ ହୋଇ ଫେରାର ହୋଇଯାଇଥିବା ଦୃବୃର୍ତମାନଙ୍କୁ ଖୋଜିବା ଆରମ୍ଭ ହୋଇଛି । ତେବେ ପୁଲିସ୍ ଉପସ୍ଥିତ ଥାଇ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି ।
Related Stories
November 29, 2024