ଭୁବନେଶ୍ବର, ଗତିଶକ୍ତି ଭିଜନ ଏବଂ କେନ୍ଦ୍ର ବଜେଟ୍ ୨୦୨୨ ସହିତ ଏହାର ଏକୀକରଣ ଉପରେ ଆୟୋଜିତ ଏକ ୱେବିନାରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଛଅଟି ବଜେଟ୍ ପରବର୍ତ୍ତୀ ୱେବିନାରରେ ଉଦବୋଧନ ଦେଇସାରିଲେଣି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷର ବଜେଟ୍ ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ପାଇଁ ‘ଗତିଶକ୍ତି’ ନିର୍ଦ୍ଧାରଣ କରିଛି । ଭିତ୍ତିଭୂମି ଆଧାରିତ ବିକାଶର ଏହି ଗତି ଆମ ଅର୍ଥବ୍ୟବସ୍ଥାର ଶକ୍ତିରେ ଅସାଧାରଣ ବୃଦ୍ଧି ଘଟାଇବ । ଏହା ଅନେକ ନୂତନ ନିଯୁକ୍ତି ଅବସର ସୃଷ୍ଟି କରିବ ।
ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ପାରମ୍ପରିକ ମାର୍ଗରେ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଥିବା ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବିଭିନ୍ନ ସମ୍ପୃକ୍ତ ବିଭାଗ ନିକଟରେ ସ୍ପଷ୍ଟ ସୂଚନା ନଥିବା କାରଣରୁ ଏପରି ହୋଇଥାଏ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପିଏମ ଗତିଶକ୍ତି ଯୋଜନା କାରଣରୁ ଏଣିକି ସମସ୍ତେ ସମ୍ପୂର୍ଣ୍ଣ ସୂଚନା ସହିତ ସେମାନଙ୍କର ଯୋଜନା ପ୍ରସ୍ତୁତ କରିପାରିବେ । ଏହା ମଧ୍ୟ ଦେଶର ସମ୍ବଳଗୁଡ଼ିକର ସର୍ବୋତ୍ତମ ଉପଯୋଗ ଦିଗରେ ଆଗେଇ ନେବ ବୋଲି ସେ କହିଥିଲେ ।