ଭଦ୍ରକ – ବନ୍ତ ତହସିଲ ଅଧିନ ଗୋପିନାଥପୁର, ଅଣିଜୋ ଓ ଚାରିଗାଁ ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀପଠାରୁ ଦୀର୍ଘ ଦିନ ଧରି ବେନିୟମ ଭାବେ ମାଫିଆମାନେ ଦିନ ଦ୍ୱିପ୍ରହରରେ ବାଲି ଖୋଳି ନେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ସ୍ଥାନୀୟ ଅଂଚଳରେ ସରକାରୀ ଭାବେ କୌଣସି ଘାଟର ବାଲି ନିଲାମ କରାଯାଇ ନାହିଁ । ମାତ୍ର ସେପରି ସ୍ଥଳେ ରାଜସ୍ୱ ବିଭାଗ କର୍ମଚାରୀ ମାନଙ୍କ ଜ୍ଞାତ ସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକରେ ଅନ୍ୟ ସ୍ଥାନକୁ ପଠାଯାଉଛି । ଗ୍ରାମବାସୀମାନେ ଏହାକୁ ବିରୋଧ କଲେ ମାଫିଆମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏପରିକି ଲୋକଦେଖାଣିଆ ଚଢଉରେ ଆସୁଥିବାବେଳେ ମାଫିଆମାନେ ପୂର୍ବ ସୂଚନା ପାଇ ସର୍ତକ ରହୁଥିବାର ଜଣାଯାଇଛି । ଏହିପରି ବାରମ୍ବାର ଘଟୁଥିଲେ ମଧ୍ୟ ଅଂଚଳବାସୀ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି କିଛି ସୁଫଳ ପାଇପାରୁ ନାହାନ୍ତି । ଏପରିକି ବାଲି ମାଫିଆ ମାନେ ଶନିବାର, ରବିବାର ଛୁଟି ଦିନମାନଙ୍କରେ ବାଲି ମାଟି ଖୋଳି ଆଣି ନିକଟରେ ଡ଼ିପୋ କରି ଅନ୍ୟଦିନରେ ତାହା ବିକ୍ରୀ କରୁଛନ୍ତି । ପ୍ରତିଦନ ଏହି ପରି ବେଧଡକ ବାଲିଖୋଳାଯାଉ ଥିବାରୁ ନଦୀର ଗତି ପଥ ପରିବର୍ତନ ଘଟି ସାମାନ୍ୟ ବର୍ଷା ହେଲେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶିଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଉଛି । ଆହୁରି ମଧ୍ୟ ବାଲି ମାଫିଆ ମାନେ ନଦୀ ତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବାଦ୍ୱାରା ବିଭିନ୍ନ ସମୟରେ ଗୃହପାଳିତ ପଶୁ ମାନେ ଏଥିରେ ଖସିପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି । ସାଳନ୍ଦୀନଦୀର ପାଶ୍ୱର୍ରେ ଥିବା କାଣ୍ଡବା, ସାହୁପଡା, ଶ୍ରୀରାମପୁର, ଅମରସିଂହପୁର, ଚାରିଗାଁ, ଚକ୍ରାପାଢୀ, ଅଣିଜୋ, ଇଟୁଆ, ବିରିଡିହି ଆଦି ଗ୍ରାମଗୁଡିକର ଅବାଧ ବାଲି ଖନନ ଯୋଗୁଁ ଆଗକୁ ସାଳନ୍ଦୀନଦୀରେ ଲିନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ପଂଚାୟତ ବାସୀ ଦାବି କରିଛନ୍ତି ।
Related Stories
November 23, 2024