ଭୁବନେଶ୍ୱର – ପୁରୀ ଜିଲ୍ଲାରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ସହାୟତା ଆବଂଟନରେ ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତା ହୋଇଥିବାର ଅଭିଯୋଗ କରି ପୁରୀର ଶହଶହ କ୍ଷତିଗ୍ରସ୍ତ ସୋମବାର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି ।
ଗତ ମେ ମାସ ୩ ତାରିଖରେ ପ୍ରଳୟଙ୍କରି ଫନି ବାତ୍ୟାରେ ପୁରୀ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଗରିବ ଲୋକଙ୍କର ଘର ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିବା ସହ ହଜାର ହଜାର ଚାଷଜମି ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା । କ୍ଷତିଗ୍ରସ୍ତ ଲୋକମାନଙ୍କର ଭାଙ୍ଗିଯାଇଥିବା ଘର ଏବଂ ଚାଷଜମି ଇତ୍ୟାଦିର ତଦନ୍ତ କରି ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ବ୍ଲକ୍ ଏବଂ ରାଜସ୍ୱ କର୍ମଚାରୀମାନଙ୍କୁ ତୁରନ୍ତ ତଦନ୍ତ କରି କ୍ଷତିଗ୍ରସ୍ତ ପରିବାର ଚିହ୍ନଟ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ରିଲିଫ୍ କମିଶନର ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ଯଥା – ନିମାପଡ଼ା, ଗୋପ, ବ୍ରହ୍ମଗିରି, ପୁରୀ ସଦରରେ ବିଜେଡି ନେତାମାନଙ୍କ ସହ ମିଶି ବ୍ଲକ୍ ଏବଂ ତହସିଲ କର୍ମଚାରୀମାନେ ପ୍ରକୃତ କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟରେ ପାତରଅନ୍ତର କରି ଯୋଗ୍ୟ ହିତାଧିକାରୀଙ୍କୁ ଘରଭଙ୍ଗା ତାଲିକାରୁ ବାଦ୍ ଦେଇଛନ୍ତି । ଅନେକ ପଂଚାୟତରେ ଆଦୌ କ୍ଷତିଗ୍ରସତ ହୋଇ ନଥିବା ପରିବାରଗୁଡ଼ିକରୁ ଅର୍ଥ ଲାଂଚ ନେଇ ସେମାନଙ୍କର ସମ୍ପୂର୍ଣ୍ଣ ଘର ଭାଙ୍ଗିଛି ବୋଲି ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି ।
ଏହିସବୁ ଅଂଚଳରୁ ଶହ ଶହ ଲୋକ ଆଜି ଘରଭଙ୍ଗା ସର୍ଭେ ଏବଂ ସରକାରୀ ସହାୟତାରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତାର ଅଭିଯୋଗ କରି ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି ସହ ସେମାନଙ୍କୁ ନ୍ୟୟ ପ୍ରଦାନ କରିବାକୁ ଲୋକାୟୁକ୍ତଙ୍କୁ ନିବେଦନ କରିଥିଲେ । ଆଜି ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କାର୍ଯ୍ୟକ୍ରମକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ସୂଚନାଧିକାର କର୍ମୀ ସୁଶୀଲ ସାହୁ, ସୁଧୀର ମହାନ୍ତି, ରୋହନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।