-
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ପକ୍ଷରୁ ଗତ ଡିସେମ୍ବର ମାସରେ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦ ବେଳେ ଉତେଜନା ଦେଖାଦେଇଥିଲା । ଏହି ଘଟଣାରେ ବୈଦ୍ୟନାଥପୁର ଥାନା ଅଧିକାରୀଙ୍କ ଅଭିଯୋଗ କ୍ରମେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ୫୬ ଜଣ ବସ୍ତି ବାସିନ୍ଦାଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ବସ୍ତି ବାସିନ୍ଦାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ଏଫଆଇଆର ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଥିବାରୁ ତାକୁ ଗ୍ରହଣ କରାଯାଇନଥିବା ଦର୍ଶାଇ ବସ୍ତିବାସିନ୍ଦା ଗତ ଜାନୁଆରୀ ୨୮ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ୩ ତାରିଖରେ ଜଷ୍ଟିସ୍ ଅରବିନ୍ଦ ସିହ୍ନା ଏହି ମାମଲାର ଶୁଣାଣି କରି ଏଫଆଇଆର ଗ୍ରହଣ କରି ମାମଲା କାହିଁକି ରୁଜ୍ଜୁ ହୋଇନାହିଁ ବୋଲି ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଥିଲେ । ଗତ ୧୫ ତାରିଖରେ ଏହାର ଶୁଣାଣିରେ ସରକାରଙ୍କ ପକ୍ଷରୁ ପଚାଂୟତ ନିର୍ବାଚନ ଚାଲିଥିବାରୁ ଆଉ କିଛିଦିନ ସମୟ ମଗାଯାଇଥିଲା । ଆସନ୍ତା ୪ ତାରିଖରେ ଏହାର ପୁନଃ ଶୁଣାଣି ନେଇ ଦିନଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।