ଭଦ୍ରକ – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରିଥିଲେ । ଏବଂ ଦୀର୍ଘ ସମୟ ଧରି କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ । ଏଠାରେ ସୂଚନାଯୋଗ୍ୟ ମହାବିଦ୍ୟାଳୟର ସମସ୍ୟା ଗୁଡିକ ସଂପର୍କରେ ଛାତ୍ରଛାତ୍ରୀମାନେ ପୂର୍ବରୁ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ଅବଗତ କରାଇବା ପରେ ସେ ଏଗୁଡିକର ସମାଧାନ ନେଇ ଜିଲାପାଳ ଏବଂ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ । ମାତ୍ର ସମସ୍ୟାର କୌଣସି ସମାଧାନ ନହେବାରୁ ଆଜି ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ସେମାନଙ୍କର ଦାବିପତ୍ର ପ୍ରଦାନ ପୂର୍ବକ ଧାରଣାରେ ବସିଥିଲେ । ଏହି ଦାବିଗୁଡିକ ମଧ୍ୟରେ କଲେଜର ନୂଆ ମହିଳା ଛାତ୍ରୀନିବାସକୁ ଯାଇଥିବା ରାସ୍ତାର ନବୀକରଣ ଓ ନୂତନ ହଷ୍ଟେଲଟିର ଶୁଭ ଉଦ୍ଘାଟନ, ଦୀର୍ଘଦିନ ଧରି ସେଣ୍ଟ୍ରାଲ ହଷ୍ଟେଲରେ ରହିଆସୁଥିବା ଭଂଗା ଶୌଚାଳୟ ଓ ଛାତର ମରାମତି, ୱେଷ୍ଟ୍ ହଷ୍ଟେଲ, ପ୍ରତିଚୀ ମହିଳା ହଷ୍ଟେଲ ଏବଂ କଲେଜର ମୁଖ୍ୟ ଫାଟକ ନିକଟରେ ଥିବା ଭଂଗା ପାଚେରୀର ମରାମତି, ଆମ୍ବେଦକର ଏସ୍ଟି ଏଣ୍ଡ ଏସ୍ଟି ହଷ୍ଟେଲର ମରାମତି କାର୍ଯ୍ୟ ସହ ନୂତନ ସାଇକେଲ ଷ୍ଟାଣ୍ଡର ନିର୍ମାଣ ଭଳି ବିଭିନ୍ନ ସମସ୍ୟାର ସମାଧାନ ରହିଥିଲା । ବିଶେଷକରି ଏହି ଦାବିଗୁଡିକ ଆଗାମୀ ୫ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ କୌଣସି ପରିସ୍ଥିତିରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହେବନାହିଁ ବୋଲି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ୱେଷ୍ଟ ହଷ୍ଟେଲର ମନୋଜ ସାହୁ, ବଶିଷ୍ଟ ନାୟକ, ସଂଗ୍ରାମ କେଶରୀ ମଲ୍ଲିକ, ସେଣ୍ଟ୍ରାଲ ହଷ୍ଟେଲର ପ୍ରଦୋଷ ଦାସ, ଧର୍ମେନ୍ଦ୍ର ମହାରଣା, ଜଗନ୍ନାଥ ସାହୁ, ଆମ୍ବେଦକର ହଷ୍ଟେଲର ବାରିଆଲ ମୁର୍ମୁ, ସିଙ୍ଗରାୟ ସୋରୋନ୍, ସଂଜୟ, ନ୍ୟୁ ଲେଡିଜ୍ ହଷ୍ଟେଲର ରୂପାଲି ମହାନ୍ତି, ଦିବ୍ୟାଂଶି ଓଝା, ପୂଜା, କନିକା ହଷ୍ଟେଲର ସସ୍ମିତା ଶିଅଳ, ଓଲଡ୍ ଲେଡିଜ୍ ହଷ୍ଟେଲର ରଶ୍ମିରେଖା ଦାସ, ପ୍ରତିଚୀ ହଷ୍ଟେଲର ମଧୁସ୍ମିତା ପ୍ରମୁଖ ଛାତ୍ରଛାତ୍ରୀମାନେ ଅଡି ବସିଥିଲେ । ତେବେ ଶେଷ ମୁହୂର୍ତ୍ତରେ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଶ୍ୱାଳ ଓ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂଙ୍କ ଉପସ୍ଥିତିରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ଏକମାସ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ବୃହତ୍ତ କାର୍ଯ୍ୟଗୁଡିକ କରାଯିବ ବୋଲି କହିବା ସହ ଅନ୍ୟ ମରାମତି କାର୍ଯ୍ୟଗୁଡିକ ୩ ଦିନ ମଧ୍ୟରେ ଅର୍ଥାତ୍ ୯ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
Related Stories
November 29, 2024