ସାଲେପୁର, ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ବ୍ଲକ ଅଧିନସ୍ଥ ୩୭ ଗୋଟି ପଂଚାୟତ ଓ ନିଶ୍ଚିନ୍ତକୋଇଲି ବ୍ଳକ ଅଧିନସ୍ଥ ୨୭ ଗୋଟି ପଂଚାୟତର ମତଦାନ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଶେଷ ହୋଇଛି । ପ୍ରାର୍ଥୀ ପ୍ରାର୍ଥୀନୀମାନଙ୍କ ଭାଗ୍ୟ ଭୋଟ ବାକ୍ସ ଭିତରେ ବନ୍ଦ ହୋଇ ରହିଛି । ମତଦାନ ଗଣତି ଓ ଫଳାଫଳ ଆସିବାକୁ ବାକି ଥିବାବେଳେ ପ୍ରମୁଖ ରାଜନୈତିକ ଦଳୀୟ ନେତାଙ୍କ ସମେତ ସ୍ୱାଧୀନ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ପ୍ରାର୍ଥୀନୀମାନେ ସେମାନଙ୍କର ଜୟ ପରାଜୟକୁ ନେଇ ହିସାବ କିତାବ କରୁଛନ୍ତି । ନିର୍ବାଚନ ଅବ୍ୟବହିତ ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ରଣନୀତି ପ୍ରସ୍ତୁତ କରି ଚଳିତ ନିର୍ବାଚନରେ ସେମାନଙ୍କ ଦଳ ପକ୍ଷରୁ ଦଳୀୟ ସଂକେତରେ ନିର୍ବାଚନ ଲଢୁଥିବା ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରାର୍ଥୀନୀ ଓ ଦଳୀୟ ସମର୍ଥନରେ ଲଢୁଥିବା ସରପଂଚ ସମିତିସଭ୍ୟ ପ୍ରାର୍ଥୀ ପ୍ରାର୍ଥୀନୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିବା ବେଳେ ତିନି ପ୍ରମୁଖ ଦଳଙ୍କର ଲକ୍ଷ୍ୟ କିନ୍ତୁ ଭିନ୍ନ ଭିନ୍ନ ଥିବା ସାଧାରଣରେ ଶୁଣିବାକୁ ମିଳୁଥିଲା । କ୍ଷମତାରେ ଥିବା ଶାସକ ବିଜୁ ଜନତାଦଳ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉଭୟ ବ୍ଲକ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିରେ ପଂଚାୟତ ସମିତି ଅଧ୍ୟକ୍ଷ ଗାଦି ଦଖଲ କରିବା ସହ ୬୪ ପଂଚାୟତରୁ ସମସ୍ତ ସରପଂଚ ଓ ସମିତିସଭ୍ୟ ଆସନ ନିଜ ଅକ୍ତିଆରରେ ରଖିବା ଓ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ ଗୋଟି ଜିଲ୍ଲାପରିଷଦ ଆସନକୁ ହାତେଇବା ଲକ୍ଷ୍ୟ ନେଇ ନିର୍ବାଚନକୁ ଓହ୍ଲାଇଥିଲା । ହାରଜିତ୍ ଭୋଟ ବ୍ୟବଧାନ ବରଂ କମୁ କିନ୍ତୁ ବିଜୟ ସବୁଠାରେ ମିଳୁ ଏହା ହିଁ ଥିଲା ଶାସକ ବିଜୁ ଜନତା ଦଳର ପ୍ରଥମ ଲକ୍ଷ୍ୟ । ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ୭ ଗୋଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ପ୍ରାୟ ୩ ରୁ ୪ ଟି ନିଜ ସପକ୍ଷରେ ନେବା ଓ ସରପଂଚ ସମିତିସଭ୍ୟ ଭାବେ ୩୦ ରୁ ୩୫ ପଂଚାୟତ ଦଖଲ କରିବା ଲକ୍ଷ୍ୟ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ସେହିପରି ଭାରତୀୟ ଜାତୀୟ କଂଗ୍ରେସ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ଓ ଦଳୀୟ ସମର୍ଥନରେ ସରପଂଚ, ସମିତିସଭ୍ୟ ପ୍ରାର୍ଥୀ ପ୍ରାର୍ଥୀନୀଭାବେ ଯୁବଗୋଷ୍ଠୀକୁ ପ୍ରାଧାନ୍ୟ ଦେଇ ପ୍ରାର୍ଥୀ ପ୍ରାର୍ଥୀନୀ କରିଛି । କଂଗ୍ରେସ ମଧ୍ୟ ଆଶାବାଦୀ ଚଳିତ ତ୍ରିସ୍ତରୀୟ ପଂଚାୟତରେ ବହୁ ସଫଳତା ହାସଲ କରିବୁ । ତିନି ପ୍ରମୁଖ ରାଜନୈତିକ ଦଳ ଏଭଳି ରଣ କୌଶଳ ପ୍ରସ୍ତୁତ କରି ନିର୍ବାଚନ ପରିଚାଳନା କରିବାର ପ୍ରମୁଖ କାରଣ ହେଉଛି ଆଗାମୀ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରୁ ସାଧାରଣ ନିର୍ବାଚନ ପାଇଁ ମୁଳୁଦୁଆ ପଡୁଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳମାନେ ଚଳିତ ପଂଚାୟତ ନିର୍ବାଚନରେ ନିଜ ନିଜର ରଣ କୌଶଳ ଓ ବୁଦ୍ଧିବଳ ପ୍ରୟୋଗ କରି ନିର୍ବାଚନ ପରିଚାଳନା କରିଛନ୍ତି । ସମୟ କହିବ ଏହି ରାଜନୈତିକ ଗୋଟି ଚାଳନାରେ କାହାକୁ କେତେ ସଫଳତା ମିଳୁଛି ।
Related Stories
November 22, 2024