ଭୁବନେଶ୍ୱର – ବାରିପଦାସ୍ଥିତ ମୟୂରଭଞ୍ଜ ଆୟୁର୍ବେଦ ମେଡ଼ିକାଲ କଲେଜକୁ ସରକାରୀ ମେଡ଼ିକାଲ କଲେଜରେ ପରିଣତ କରିବା ପାଇଁ ସରକାରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ବୈଠକ ଅନୁଷ୍ଠିତ ହୋଇଥିଲା । ମେଡ଼ିକାଲ କଲେଜର ନିଜସ୍ୱ ଭିତିଭୂମି ରଖିବାବେଳେ ସରକାର ଏହି କଲେଜକୁ ହାତକୁ ନେବାପାଇଁ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିଶ୍ରୁତି ପୂରଣ କରିବା ସହ ସରକାରୀ ସ୍ତରରେ ଏଥିପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବୈଠକରେ ନିଷ୍ପତି ନିଆଯାଇଥିଲା ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ମୋରଡ଼ା ବିଧାୟକ ଶ୍ରୀ ରାଜକିଶୋର ଦାସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।