ପାରାଦୀପ – ପାରାଦୀପ ପୌରପାଳିକାରେ ମହା ଦୁର୍ନୀତି ଓ କଳିଙ୍ଗ ବାଲିଯାତ୍ରାର ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ବିରୋଧରେ ଭାରତୀୟ ଜନତା ପାର୍ଟି ପାରାଦୀପ ମଣ୍ଡଳ ପକ୍ଷରୁ ଗତ ୧ ତାରିଖ ଠାରୁ ପୌର ପ୍ରଶାସନ ଭବନ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ଜାରୀ ରହିଛି । ପାରାଦୀପ ନଗରପାଳ ଶ୍ରୀ ବସନ୍ତ କୁମାର ବିଶ୍ବାଳ ଓ ନିର୍ବାହୀ ଅଧିକାରୀ ଶ୍ରୀ ଦିଲିପ କୁମାର ମହାନ୍ତି ମିଶି ୫୦ କୋଟି ଟଙ୍କାର ଦୁର୍ନୀତି ସମ୍ପର୍କରେ ତଦନ୍ତ ଦାବୀ କରିଛନ୍ତି।
କିନ୍ତୁ ସୋମବାର ପୂର୍ବାହ୍ନ ୧୧ ଟା ସମୟରେ ବିଜୁ ଜନତା ଦଳର ଏକ ଶୋଭାଯାତ୍ରା ପାରାଦୀପ ଅଦର୍ଶ ଥାନା ଛକରୁ ବାହାରି ବସନ୍ତ କୁମାର ବିଶ୍ବାଳ ଓ ପାରାଦୀପ ନଗର ବିଜେଡି ସଭାପତି ସୁମନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଆସି ପୌରପାଳିକା ସମ୍ମୁଖରେ ପହଞ୍ଚି ଥିଲେ। ସେହି ସ୍ଥାନରେ ଗଣ ଧାରଣାକୁ ନିନ୍ଦା କରିବା ସହିତ ବିଜେପି ନେତା ଶ୍ରୀ ସମ୍ପଦ ସ୍ୱାଇଁ ଓ ତାଙ୍କ ପୁଅ ତଥା ଜଗତସିଂହପୁର ଜିଲ୍ଲାର ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସମ୍ପଦ ସ୍ୱାଇଁ,ଜିଲ୍ଲା ଉପ ସଭାପତି ଶ୍ରୀ ଅଜିତ ଦାସ ଓ ବଚନ ସ୍ୱାଇଁଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ସୁମନ୍ତ ଓ ବସନ୍ତ ଅନେକ କଥା କହିଥିଲେ।
ଏହାର ଜବାଵରେ ବିଜେପି ନେତା ବିଭୁ ପ୍ରସାଦ ତରାଇ, ଅଜିତ ଦାସ, ସମ୍ପଦ ସ୍ୱାଇଁ, ମଣ୍ଡଳ ସମ୍ପାଦକ ଅରୁଣ କୁମାର ସ୍ୱାଇଁ, ଯୁବ ମୋର୍ଚ୍ଚା ଉପ ସଭାପତି ଶ୍ରୀ ସୁବ୍ରତ କୁମାର ପ୍ରଦାନ, ନିରଞ୍ଜନ ସ୍ୱାଇଁ, ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ପ୍ରମୁଖ ଅନୁରୂପ ଭାବେ ବସନ୍ତ ବିଶ୍ବାଳଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଟୁ ମନ୍ତବ୍ୟ ଦେଇଥିଲେ। ଏହି ସମୟରେ ବିଜେଡି ପକ୍ଷରୁ ବିଜେପି ଗୋଷ୍ଠୀଙ୍କୁ ପାଣି ବୋତଲ ମାଡ଼ ହୋଇଥିଲା । ଏହାର ଜବାଵରେ ବିଜେପି ପକ୍ଷରୁ ମଧ୍ୟ ପାଣି ବୋତଲ ମାଡ଼ ଆରମ୍ଭ ହୋଇଥିଲା। କିନ୍ତୁ ଏହି ଲଢେ଼ଇରେ ଦର୍ଶକ ସାଜିଥିବା ପୋଲିସ ସକ୍ରିୟ ହୋଇ ପଡ଼ିବାରୁ ବନ୍ଦ ହୋଇଯାଇଥିଲା। ଏହାର ପ୍ରତିବାଦ ଓ ପୋଲିସର ନିନ୍ଦା କରି ବିଜେପି ନେତା ରାସ୍ତା ଉପରେ ଧାରଣା ଦେଇଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ଯେ, ପାରାଦୀପ ପୌରପାଳିକାରେ ପାଇଖାନା ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଛି ଏବଂ ପୌରପାଳିକା ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହେଉଥିବା ଅଭିଯୋଗ କରି ପାରାଦୀପ ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ ପାରାଦୀପ ବିଜେଡି ପକ୍ଷରୁ ଯେଉଁ ଢଙ୍ଗରେ କୌଣସି ପ୍ରସଙ୍ଗ ନ ଥାଇ କେବଳ ଦୁର୍ନୀତି ବିରୋଧରେ ପ୍ରତିବାଦ କରୁଥିବା ବିଜେପିର ଶାନ୍ତିପୂର୍ଣ୍ଣ ଧାରଣାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରାରେ ଆସି ଧାରଣାସ୍ଥଳରେ ପହଞ୍ଚି ବିଜେପି ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ଘଟଣା ଓ ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇ ନାହିଁ ର ଯଥାର୍ଥତା ପ୍ରମାଣ କରୁଛି।
କଳିଙ୍ଗ ବାଲିଯାତ୍ରା କମିଟିର କାର୍ଯ୍ୟ କରିବା ପାଇଁ ପାରାଦୀପ ପୌରପାଳିକା ଟେଣ୍ଡର ଡାକିବା ଏବଂ ଟେଣ୍ଡର ଖୋଲିବା ପୂର୍ବରୁ କାମ ଆରମ୍ଭ ହେବା ଘଟଣା ମଧ୍ୟ ଦୁର୍ନୀତି ର ସୂଚନା ଦେଉଛି। ଏଠାରେ ପୋଲିସ ପ୍ରଶାସନ କାର୍ଯ୍ୟକ୍ରମ ଶାସକ ଦଳ ସପକ୍ଷରେ ଯାଉଛି ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି। ବିଜେପି ୪ ଦିନ ଧରି ଦିବରାତ୍ରୀ ଧାରଣା ଦେଇଥିଲେ ମଧ୍ୟ ସେମାନଙ୍କୁ ସେଠାରୁ ନ ହଟାଇ ସେମାନଙ୍କ ବିରୋଧରେ ବିଜେଡି ଶୋଭାଯାତ୍ରା ଓ ଧାରଣାସ୍ଥଳରେ ବିଜେଡିକୁ ବିଜେପି ବିରୋଧୀ ସଭା କରିବା ପାଇଁ ଅନୁମତି ଦେବା ଘଟଣା ପୋଲିସ ର ନିରପେକ୍ଷତା ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରୁଛି।