
ମାଲକାନଗିରି – ହାତରେ କିଡ଼ନୀ ରୋଗର ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ରିପୋର୍ଟ । ହେଲେ ଚିକିତ୍ସା ପାଇଁ ଏମାନେ ଆଧୁନିକ ଅସ୍ତ୍ରୋପଚାର ବଦଳରେ ନେଉଛନ୍ତି ଘରୋଇ ଉପଚାର । ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କିଡ଼ନୀ ରୋଗୀଙ୍କ ସଂଖ୍ୟା । ଯାହାର ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା । କିନ୍ତୁ ଏଠି ଘରୋଇ ଉପଚାରରେ ହୋଇପାରୁଛି ଏହି ମାରାତ୍ମକ ରୋଗର ଚିକିତ୍ସା । ତାହା ପୁଣି ମାଗଣାରେ । ଠିକ୍ ଶୁଣିଲେ ଆପଣ, ଏମିତି ଏକ ଚିକିତ୍ସା ସେବା ଚାଲିଛି ଉପାନ୍ତ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅର୍ନ୍ତଗତ ଏମ.ଭି.୧୦୪ ଗାଁରେ । ଯେଉଁଠି ଘରୋଇ ଉପଚାର ପାଇଁ ପ୍ରତିଦିନ ଲାଗୁଛି କିଡ଼ନୀ ରୋଗୀଙ୍କ ଭିଡ଼ ।
ଏମ.ଭି.୧୦୪ ଗାଁର ବଙ୍ଗୀୟ ମହିଳା ତରୁଲତା ସରକାର । ପେଶାରେ ସେ କୌଣସି ଡାକ୍ତର ନୁହଁନ୍ତି । ହେଲେ ଘରୋଇ ଉପଚାରରେ ସେ କରୁଛନ୍ତି କିଡ଼ନୀ ରୋଗୀଙ୍କ ଚିକିତ୍ସା । ଆଉ ଏହି ଚିକିତ୍ସା ପାଇଁ ତାଙ୍କୁ ମା’ କାଳୀଙ୍କ ସ୍ବପ୍ନାଦେଶ ହୋଇଥିଲା । ଘଟଣାଟି ଏମିତି । ତରୁଲତାଙ୍କ ବାପା ଖୋଦ୍ ଜଣେ କିଡ଼ନୀ ରୋଗୀ । ପଇସା ଦେଇ ବାପାଙ୍କୁ ଭଲ କରିବାକୁ ଅକ୍ଷମ ତରୁଲତାଙ୍କୁ ହୁଏ ମା’ କାଳୀଙ୍କ ସ୍ବପ୍ନାଦେଶ । ଏହା ପରେ ସେ ପୋଡା ଲେମ୍ବୁର ରସକୁ ମା’ କାଳୀଙ୍କ ପାଖରେ ଅର୍ପଣ କରି ନିଜ ବାପାଙ୍କୁ ପିଇବାକୁ ଦେଇଥିଲେ । ଏହି ଚିକିତ୍ସା ପରେ ତାଙ୍କ ବାପା ଭଲ ହେଉଥିବା ସେ କହିଛନ୍ତି । ଧୀରେ ଧୀରେ ଚାରୁଲତାଙ୍କ ଏହି ଚିକିତ୍ସା ସେବା ଲୋକଲୋଚନକୁ ଆସିଥିଲା । ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସୁଛନ୍ତି । ତାଙ୍କର ଏହି ଔଷଧୀୟ ଚିକିତ୍ସା ସେମାନଙ୍କୁ ସୁସ୍ଥ କରୁଥିବା କହିଛନ୍ତି । ଏହି ଚିକିତ୍ସା ପାଇଁ ସେ କୌଣସି ରୋଗୀଙ୍କ ଠାରୁ ପଇସା ନେଉନଥିବାବେଳେ କେବଳ ମଙ୍ଗଳବାର ଓ ଶନିବାର ସେ ଏହି ଔଷଧ ଦେଇଥାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଚିକିତ୍ସା ପାଇଁ ଖର୍ଚ୍ଚ ହୁଏ ଲକ୍ଷ ଲକ୍ଷ ଟଙ୍କା ସେଠି ସତରେ କଣ ସାମାନ୍ୟ ପୋଡା ଲେମ୍ବୁ ରସରେ ଭଲ ହେଉଛି କିଡ଼ନୀ ରୋଗ । ନା ଏହା ମା କାଳୀଙ୍କ ଚମତ୍କାରିତା ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।