
-
ଖାତା ଖୋଲିବା କଂଗ୍ରେସ ପାଇଁ ଆହ୍ୱାନ!
ଭଦ୍ରକ, ୨୮ ସଦସ୍ୟ ବିଶିଷ୍ଟ ଭଦ୍ରକ ଜିଲା ପରିଷଦରେ ଖାତା ଖୋଲିବା କଂଗ୍ରେସ ଦଳ ପାଇଁ ଏକ ଆହ୍ୱାନ ସଦୃଶ ହୋଇଛି । ଏକଦା ଭଦ୍ରକ ଜିଲା କଂଗ୍ରେସର ଗଡ ଭାବେ ପରିଗଣିତ ହେଉଥିଲା । କିନ୍ତୁ ଏହି ଦଳ ଏବେ ଜିଲାରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଛି । ଗତ ୨୦୦୭ ପରଠାରୁ ଜିଲା ପରିଷଦରେ କଂଗ୍ରେସ ଦଳ ଖାତା ଖୋଲୁନାହିଁ । ୨୦୦୭ରେ କଂଗ୍ରେସ ୨୮ରୁ ୧୦ଟି ଜିଲା ପରିଷଦ ଆସନରେ ବିଜୟୀ ହୋଇଥିଲା । ୨୦୧୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଶାସକ ବିଜେଡିକୁ କଡା ଟକ୍କର ଦେଇଥିଲେ ବି ଗୋଟିଏ ହେଲେ ଆସନ ଜିତିବାରେ ସକ୍ଷମ ହୋଇନଥିଲା । ୨୦୧୭ ବେଳେ ଅନୁରୂପ ଅବସ୍ଥା ଭୋଗିଥିଲା କଂଗ୍ରେସ । ଏବେ ୨୦୨୨ ନିର୍ବାଚନରେ ଦଳର ଭାଗ୍ୟଫଳ କ’ଣ ହେବ ତାହା ଏବେ ଚର୍ଚାର ବିଷୟ ହୋଇଛି । ପର୍ଯ୍ୟବେକ୍ଷକ ମହଲର ମତ ହେଲା: ୨୦୦୭ ପରଠାରୁ କଂଗ୍ରେସ ଜିଲାରେ ଦୁର୍ବଳ ହୋଇଚାଲିଛି । ୨୦୧୨ରେ ଯେଉଁ ଅବସ୍ଥା ଥିଲା ୨୦୧୭ ବେଳକୁ ଦଳର ଅବସ୍ଥା ଆହୁରି ଖରାପ ହୋଇଥିଲା । ଏବେ ୨୦୨୨ରେ କଂଗ୍ରେସ ଅବସ୍ଥା ସେତେଟା ଭଲ ନୁହେଁ । ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଜିଲାର ୫ଟି ଯାକ ବିଧାନସଭା କ୍ଷେତ୍ର ମଧ୍ୟରୁ ଭଣ୍ଡାରିପୋଖରୀ ଓ ବାସୁଦେବପୁର ବିଧାନସଭା କ୍ଷେତ୍ରରେ ବିଜେଡି ପଛୁକୁ ଅର୍ଥାତ ୨ନଂ ସ୍ଥାନରେ ଥିଲା । ଅନ୍ୟ ୩ଟିରେ କଂଗ୍ରେସ ବିଜେପି ପଛକୁ ଅର୍ଥାତ ୩ ନଂରେ ଥିଲା । ଏବେ ଜିଲା ପରିଷଦ ନିର୍ବାଚନରେ ମଧ୍ୟ କେବଳ ସେହିି ଭଣ୍ଡାରିପୋଖରୀ ଓ ବାସୁଦେବପୁର ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପାଇଁ କିଛି ଆଶା କରାଯାଇପାରେ । ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ଅଧୀନରେ ଥିବା ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକରେ ମୋଟ ୬ଟି ଜିଲା ପରିଷଦ ଜୋନ ରହିଥିବା ବେଳେ ବାସୁଦେବପୁର ବିଧାନସଭା କ୍ଷେତ୍ର ଅଧିନରେ ୫ଟି ଜିଲା ପରିଷଦ ଜୋନ ରହିଛି । ୧୪ନଂ ରୁ ଆରମ୍ଭ କରି କ୍ରମାନ୍ୱୟରେ ୨୪ ନଂ ଜୋନ ଯାଏ ମୋଟ ୧୧ଟି ଜିଲା ପରିଷଦ କ୍ଷେତ୍ରରେ କଂଗ୍ରେସ ନିଜର ମଜବୁତ ଉପସ୍ଥିତି ଜାହିର କରୁଥିଲେ ବି ତହିଁରୁ କେତୋଟି ଦଖଲ କରିବ ତାହା ବଡ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିଭଳି ଚାନ୍ଦବାଲି ବ୍ଲକର ଧାମରା ଜୋନ(୫ନଂ)ରେ କଂଗ୍ରେସର ସ୍ଥିତି ମଜବୁତ ରହିଥିବା କୁହାଯାଉଛି । ମୋଟ ଉପରେ ୨୮ରୁ ୧୨ଟି ଜୋନରେ କଂଗ୍ରେସ ନିଜର ମଜବୁତ ଉପସ୍ଥିତି ଜାହିର କରୁଥିଲେ ବି ତହିଁରୁ ଯଦି ପୂର୍ବଭଳି ଖାତା ନଖୋଲିପାରିଲା ତେବେ ତାହା ଦଳୀୟ କର୍ମୀଙ୍କ ଲାଗି ହତୋତ୍ସାହର କାରଣ ହେବ । ଏଣୁ ନିର୍ଦ୍ଧିଷ୍ଟ ଭାବେ କିଛି ରଣନୀତି ଆପଣାଇ କଂଗ୍ରେସ ଦଳ ଏଥରକ ଖାତା ଖୋଲିବା ଅଥବା କିଛି ଆସନ ଦଖଲ କରିବା ଦଳ ପାଇଁ ସମ୍ମାନ ଆଣିବ । ପ୍ରକାଶଥାଉକି; କଂଗ୍ରେସ ଜିଲା ସଭାପତି ସୁବ୍ରତ ଦାସ ନିଜେ ଭଣ୍ଡାରିପୋଖରୀ ଓ ବନ୍ତ ଦାୟିତ୍ୱରେ ଥିବା ବେଳେ ବାସୁଦେବପୁରର ୫ଟି ଜୋନ ଦାୟିତ୍ୱରେ ଅଛନ୍ତି ପୂର୍ବତନ ଜିଲା ସଭାପତି ତଥା ବିଧାନସଭା କ୍ଷେତ୍ରର ନେତା ଅଶୋକ ଦାସ । ସେହିଭଳି ଧାମରା ଜୋନ ହେଲା ଚାନ୍ଦବାଲି ବିଧାନସଭା କ୍ଷେତ୍ରର ଏବର ନେତା ଦିଗମ୍ବର ଦାସ ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଅମୀୟ ମହାପାତ୍ରଙ୍କ ନିଜ ଇଲାକାର ଜୋନ । ଏଣୁ ଦଳ ପାଇଁ ସଫଳତା ଆଣିବା ଏହି ନେତାମାନଙ୍କ ପାଇଁ ମଧ୍ୟ ଆହ୍ୱାନ ତଥା ସମ୍ମାନର ବିଷୟ ବୋଲି କୁହାଯାଉଛି ।