ଭଦ୍ରକ – ଗତକାଲି ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଅର୍ଜୁନପୁର ପୋଲ ନିକଟରେ ଜଣେ ଅଜଣା ଯୁବତୀଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର ହୋଇ ପ୍ରଥମେ ଧାମନଗର, ପରେ ଭଦ୍ରକ ଓ ଶେଷରେ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି ।
ପ୍ରାପ୍ତ ଖବରରୁ ଯାହା ଜଣାଯାଏ, ଏହି ଯୁବତୀଟି ସଂଜ୍ଞାହୀନ ଅବସ୍ଥାରେ ଗତକାଲି ଧାମନଗର ଅର୍ଜୁନପୁର ପୋଲ ନିକଟରେ ଅଚେତ ଅବସ୍ଥାରେ ପଡିଥିଲେ । ତାଙ୍କର ମୁଣ୍ଡ, ମୁହଁ ସମେତ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା । ତେବେ ଦୁଇଜଣ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଡାକ୍ତରଖାନା ଆଣିବା ପରେ ଚିକିତ୍ସା କରାଯାଇଥିଲା । ତେବେ ଯୁବତୀଟିର ସଂକଟାପନ୍ନ ଅବସ୍ଥା ଦେଖି ତାକୁ ଡାକ୍ତରମାନେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତା’ର ଅବସ୍ଥା ଗୁରୁତର ହେବାରୁ ଶେଷ ମୁହୂର୍ତରେ କଟକ ଡାକ୍ତରଖାନା ପଠାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ଯୁବତୀକୁ ଘଟଣାସ୍ଥଳରୁ ଉଦ୍ଧାର କରି ଆଣିଥିବା ଦୁଇଜଣ ଯୁବକଙ୍କ ବ୍ୟବହାର ସନ୍ଦେହଜନକ ଥିବାରୁ ପୁଲିସ୍ ଏଥିନେଇ ତଦନ୍ତ କରୁଛି । ଯୁବତୀଟିର ଘର ଯାଜପୁର ଜିଲା ଅହିୟାସ ମଙ୍ଗଳପୁର ବୋଲି ଜଣାପଡିଛି ।