ବାରିପଦା – ନିଜର ପେଟକୁ ଦୁଇ ଓଳି ଆହାର ଅନ୍ୱେଷଣ ନିମନ୍ତେ କିଛି ମାସ ପୂର୍ବେ ଜୀବିତ ଅବସ୍ଥାରେ ଦାଦନ ଖଟିବାକୁ ଯାଇଥିଲା; ହେଲେ ଘରକୁ ଫେରି ଆସିଲା ଶବ । ଏହିଭଳି ଏକ ଦୁଃଖଦାୟକ, ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଯଦୁନାଥପୁର ଗ୍ରାମରେ ।
ଯଦୁନାଥପୁର ଗ୍ରାମର ସ୍ୱର୍ଗତଃ ବିଶ୍ୱନାଥ ସିଂଙ୍କ ପୁଅ ରାମ ସିଂ (୪୮) । ପ୍ରଥମେ ସ୍ତ୍ରୀ ଓ ପରେ ପିଲା ରାମ ସିଂକୁ ଛାଡ଼ି ଆର ପାରିକୁ ଚାଲିଯାଇଥିଲେ । ଗ୍ରାମରେ ରୋଜଗାର ନ ମିଳିବାରୁ ଅଭାବ ଅନାଟନ ମଧ୍ୟଦେଇ ଗତି କରୁଥିଲା । ଘରେ ଭାଇଙ୍କୁ ଛାଡ଼ି ଦେଲେ ଆଉ କେହି ନଥିଲେ । ରୋଜଗାର ସନ୍ଧାନରେ କିଛି ମାସ ପୂର୍ବେ ଛୁଟି ଯାଇଥିଲା ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟକୁ । ସେଠାରେ ରୋଗଗ୍ରସ୍ତ ହେବା ପରେ ନିଜ ଘରକୁ ଫେରି ଆସୁଥିଲା । ରାମ ସିଂ ଗ୍ରାମର ଜଣେ ପଡ଼ୋଶୀ ସହ ନଭେମ୍ବର ୨ ତାରିଖ ଶନିବାର ରାତିରେ ଟ୍ରେନରୁ ବାଲେଶ୍ୱର ଷ୍ଟେସନରେ ଉହ୍ଲାଇ ସେଠାରୁ ବାରିପଦା ଓ ବାରିପଦାରୁ ନିଜ ଗ୍ରାମ ଯଦୁନାଥପୁର ଯିବା ପାଇଁ ରାଇରଙ୍ଗପୁର ବସରେ ଉଠିଥିଲା । ମାତ୍ର ବାଲେଶ୍ୱର-ବାରିପଦା ରାସ୍ତାରେ ତା’ର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ କାହାକୁ ଜଣାନଥିଲା । ଭୋର୍ ସମୟରେ ବାରିପଦାରେ ବସ୍ ପହଁଚିବା ପରେ ବସ୍ ହେଲପର ଡ଼ାକ ଛାଡ଼ିବାରୁ ନିକଟରେ ବସିଥିବା ସହଯାତ୍ରୀ ତଥା ପଡ଼ୋଶୀ ତାଙ୍କୁ ସିଟ୍ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ବସ୍ ର ହେଲପର ରାମ ସିଂର ଶବକୁ ତଳକୁ ଉହ୍ଲାଇ ଦେଇ ଚାଲିଯାଇଥିଲା । ରବିବାର ସକାଳ ସମୟରେ ବାରିପଦା ଟାଉନ ଥାନା ପୁଲିସ ଖବର ପାଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇବା ସହ ପ୍ରାଥମିକ ତଦନ୍ତ ପରେ ଥାନାରେ ୧୬୨/ ୦୩.୧୧.୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ଏଥି ସହିତ ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବାର ଜଣାପଡ଼ିଛି ।
ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜ । ଅତୀତରେ ମହାରାଜାଙ୍କ ଶାସନ ସମୟରେ ଏକ ସମୃଦ୍ଧଶାଳୀ ଗଡ଼ଜାତ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିଲା । ୧୯୪୯ ଜାନୁଆରୀ ୧ରେ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଓ ୨ରେ ଓଡ଼ିଶାର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବାର ପରବର୍ତି ସମୟରୁ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ତାଲିକାରେ ସାମିଲ୍ ହେଲା । ବଣ ପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ବୃହତ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ନଥିବା କାରଣରୁ ଜିଲ୍ଲାବାସୀଙ୍କ ସାମଗ୍ରୀକ ବିକାଶ ସମ୍ଭବ ହୋଇପାରି ନାହିଁ । ଜିଲ୍ଲାରେ ବେକାରୀ ସମସ୍ୟା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଫଳରେ ପ୍ରତ୍ୟେକ ବର୍ଷ ଜିଲ୍ଲାରୁ ରାଜ୍ୟ ବାହାରକୁ ଶହ ଶହ ବ୍ୟକ୍ତି ଦାଦନ ଖଟିବା ନିମନ୍ତେ ଛୁଟି ଯାଇଥାନ୍ତି । ଏମାନଙ୍କ ମଧ୍ୟରୁ କେହି କେହି ମାଲିକର ଶୋଷଣର ଶିକାର ହେଉଥିବା ବେଳେ କେହି ରାମ ସିଂ ଅବସ୍ଥା ହେଉଥିବାର ନଜିର ରହିଛି । ତେଣୁ ସରକାର ଏ ଦିଗରେ ଯତ୍ନବାନ ନ ହେଲେ ଆଗକୁ ରାମ ସିଂ ଭଳି ଶହ ଶହ ରାମ ସିଂଙ୍କ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି ।