ମାଲକାନଗିରି,ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ବାହାନାରେ ସୁନା ଗହଣା ଚୋରୀ କରିଥିବା ୨ ଜଣ ଚୋରକୁ ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ମହକୁମାର ଜେଲ ସାହିର ଶ୍ରୀଧର ପଟ୍ଟନାୟକଙ୍କ ଶାଶୁ ଓ ଶ୍ୱଶୁର କିଛି ଘରୋଇ ସମସ୍ୟା ନେଇ ଡାବୁଗାଁର ୨ ଜଣ ପୂଜକଙ୍କୁ ଭେଟିଥିଲେ । ଏହି ସମୟରେ ପୂଜକ ଦ୍ୱୟ ତୁମର ଭିଣୋଇଙ୍କ ଜୀବନ ଯିବ ଓ ମୃତ୍ୟୁ ସୁନିଶ୍ଚିତ ବୋଲି କହିଥିଲେ । ତେବେ ଏକ ପୂଜା କଲେ ସମସ୍ତ ଦୋଷ କଟିଯିବ ବୋଲି କହିଥିଲେ । ଏହା ଶୁଣି ଶ୍ରୀଧରଙ୍କ ଶାଶୁ ଓ ଶ୍ୱଶୁର ଭିଣୋଇଙ୍କୁ ଫୋନ କରି ପୂଜା କରିବାକୁ ପ୍ରବର୍ତାଇଥିଲେ । ଏହାପରେ ଗତକାଲି ସଂନ୍ଧ୍ୟାରେ ୨ ଜଣ ପୂଜକ ସନ୍ତୋଷ ସାହୁ ଓ ମାନସ ସେନାପତିଙ୍କୁ ସାଙ୍ଗରେ ନେଇ ଶ୍ରୀଧରଙ୍କ ଶାଶୁ ଶ୍ୱଶୁର ମାଲକାନଗିରିରେ ପହଞ୍ଚି ଥିଲେ । ପରେ ଶ୍ରୀଧର ଓ ତାଙ୍କ ପରିବାରକୁ ବିଭିନ୍ନ କଥା କହି ଭୟଭୀତ କରାଇଥିଲେ । ପରେ ଶ୍ରୀଧରଙ୍କ ଶୟନ କକ୍ଷରେ ପ୍ରାୟ ୫ ଘଣ୍ଟା ପୂଜା ହୋଇଥିଲା । ଏହି ପୂଜା ସମୟରେ ପରିବାରର କୌଣସି ସଦସ୍ୟଙ୍କୁ ସମ୍ପୃକ୍ତ ପୂଜକମାନେ ଉକ୍ତ କଠୋରୀ ମଧ୍ୟରେ ପ୍ରବେଶ କରିବାକୁ ଦେଇନଥିଲେ । ପୂଜା ଶେଷ ହେବା ପରେ ମଧ୍ୟ ଉକ୍ତ କକ୍ଷକୁ ପରିବାର ସଦସ୍ୟଙ୍କୁ ଯିବାକୁ ବାରଣ କରି କକ୍ଷ ଭିତରକୁ ଗଲେ ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ହେବ ବୋଲି କହି ଭୟଭୀତ କରାଇ ସେଠାରୁ ଚାଲି ଯାଇଥିଲେ । ଏହି କଥା ଶୁଣି ସମସ୍ତଙ୍କର ସନ୍ଦେହ ହେବାରୁ ସେମାନଙ୍କ ଯିବାପରେ କଠୋରୀ ଭିତରକୁ ଯାଇ ଦେଖିବା ବେଳେ ଆଲମିରା ଭାଙ୍ଗି ପଡ଼ିଥିବା ସହ ସମସ୍ତ ଲୁଗା ଚାରିପଟେ ପଡ଼ିଥିଲା ଓ ଆଲମିରା ଭିତରେ ଥିବା ସୁନା ହାର, କାନଫୁଲ, ଚେନ, ମୁଦି, ପାଉଁଜି ଇତ୍ୟାଦି ନଥିଲା । ଏହାପରେ ଶ୍ରୀଧର ଘରେ ସମସ୍ୟା ହୋଇଥିବା କହି ଉକ୍ତ ପୂଜକ ଦ୍ୱୟଙ୍କୁ ପୁନଃ ଡକାଇଥିଲେ ଓ ଚୋରୀ ବିଷୟରେ ପଚାରିବାରୁ ସେମାନେ ଚୋରୀ କରିନଥିବା କହିଥିଲେ । ପରେ ବାଧ୍ୟ ହୋଇ ଶ୍ରୀଧର ମାଲକାନଗିରି ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ କେସ ନମ୍ବର ୪୯ରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ୨ ଜଣ ଚୋରଙ୍କୁ ଗିରଫ କରିଛି ।