
ମାଲକାନଗିରି, ତ୍ରିସ୍ତରୀୟ ନିର୍ବାଚନକୁ ନେଇ ରାଜନୈତିକ ପାଣି ପାଗରେ ଉଷ୍ମତା ବଢିବାରେ ଲାଗିଥିବା ବେଳେ ପ୍ରାର୍ଥୀ ମାନେ ବର୍ତ୍ତମାନ ନିଜ ନିଜ ପ୍ରଚାରରେ ବ୍ୟସ୍ତ ହୋଇପଡିଛନ୍ତି । ତେବେ ଚଳିତ ନିର୍ବାଚନରେ କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା କରାଯାଇଥିବା ବେଳେ ନିର୍ବାଚନ ପ୍ରଚାର ନିମନ୍ତେ ଡିଜିଟାଲ ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କରୋନା କଟକଣା ଯୋଗୁଁ ଜନ ଗହଳି କରି ପ୍ରଚାର ଉପରେ ରୋକ୍ ଲଗାଯାଇଥିବା ବେଳେ ସ୍ବଳ୍ପ ସଂଖ୍ୟକ ଲୋକେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ପ୍ରଚାର ନିମନ୍ତେ ସୋସିଆଲ ମିଡିଆରେ ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେଇଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ନାଚ ଗୀତର ଭିଡିଓ ମାଧ୍ୟମରେ ଦଳୀୟପ୍ରଚାର ପାଇଁ ଆଗେଇ ଆସିଛନ୍ତି ଦଳର କିଛି ଆଗ ଧାଡିର ନେତା ଓ କର୍ମୀ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସାଂଗଠନିକ ସମ୍ପାଦକ ତଥା ଖଇରପୁଟ ବ୍ଲକ ସଂଯୋଜକ ନୃସିଂହ ଚରଣ ମହାନ୍ତି ଏବଂ କିଛି ଦଳୀୟ କର୍ମୀ ଏକ ଭିଡିଓ ଗୀତ ମାଧ୍ୟମରେ ନିଜ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଦଳ ଓ ଦଳୀୟ ପ୍ରାର୍ଥୀଙ୍କ ବିଷୟରେ ବୁଝାଇବାକୁ ସ୍ଥାନୀୟ ଆଦିବାସୀ ଭାଷାରେ ଏହି ନାଚ ଗୀତର ଭିଡିଓଟି ସୁଟ୍ କରାଯାଇଛି । ଯେଉଁଥରେ ନିଜେ ଶ୍ରୀ ମହାନ୍ତି ଆଦିବାସୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରୁଥିବା ବେଳେ ତାଙ୍କ ସହ କିଛି କର୍ମୀ ମଧ୍ୟ ଏହି ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି । ଡିଜିଟାଲ ପ୍ରଚାରକୁ ଗୁରୁତ୍ଵ ଦେଇ ଏଭଳି ନାଚ ଗୀତର ଭିଡିଓ କରାଯାଇଥିବା ବେଳେ ଏହା ମଧ୍ୟ ସ୍ଥାନୀୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଛି । ଖଇରପୁଟ ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ବଳି ମାଝି ଉକ୍ତ ଅଞ୍ଚଳର ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ଏହି ଭିଡିଓରେ ତାଙ୍କ ବିଷୟରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସ୍ଥାନୀୟ ଭାଷା ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ଏହି ଭିଡିଓଟିରେ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଆଗାମୀ ଦିନରେ କିଭଳି ଅଞ୍ଚଳର ବିକାଶ କରାଯିବ ତାହା ଉପରେ ତଥ୍ୟ ରଖାଯାଇଛି । ଏହା ଭୋଟରଙ୍କୁ ବେଶ୍ ଆକୃଷ୍ଟ କରିପାରିଥିବା ଦେଖିବାକୁ ମିଳିଛି । ତେବେ ଅଞ୍ଚଳରେ ସରକାରୀ ନିୟମକୁ ମାନି କରୋନା କଟକଣା ମଧ୍ୟରେ ବିଜୁ ଜନତା ଦଳ ଏଭଳି ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେଇଥିବା ବେଳେ ଅନ୍ୟ ଦଳୀୟ ପ୍ରାର୍ଥୀ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ନେଇ ନଥିବା ଦେଖିବାକୁ ମିଳିଛି । ବିଜୁ ଜନତା ଦଳ ପକ୍ଷରୁ ଏହି ଡିଜିଟାଲ ପ୍ରଚାରକୁ ଆଗାମୀ ଦିନରେ ମଧ୍ୟ ଜାରି ରଖାଯିବ ବୋଲି ସାଂଗଠନିକ ସମ୍ପାଦକ ଶ୍ରୀ ମହାନ୍ତି ପ୍ରକାଶ କରିଥିବା ବେଳେ ଏହା ନିର୍ବାଚନରେ ତାଙ୍କ ପାଇଁ ଲାଭଦାୟକ ହେବା ସହ ବିଶେଷ କରି ଯୁବ ଭୋଟରଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ସେ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନର ଡିଜିଟାଲ ଯୁଗରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଡିଜିଟାଲ ପ୍ରଚାର କରାଯାଇଥିବା ବେଳେ ଅନ୍ୟ ଦଳ ଗୁଡିକ ବର୍ତ୍ତମାନ ସୁଦ୍ଧା ଡିଜିଟାଲ ପ୍ରଚାର ଉପରେ ସେତେଟା ଗୁରୁତ୍ବ ଦେଇନଥିବା ଦେଖିବାକୁ ମିଳିଛି ।