ଭୁବନେଶ୍ୱର – ଓଡିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ୭୫ ବର୍ଷ ପୂର୍ତି ତଥା ପ୍ଲାଟିନମ ଜୁବୁଲି ବର୍ଷରେ ସଂଘ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଓଡେଶା ଭବନ ପରିସରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସଂଘକୁ ଦୀର୍ଘ ଦୁଇ ଦଶନ୍ଧି ଧରି ନେତୃତ୍ୱ ପ୍ରଦାନ କରିଥିବା ପୂର୍ବତନ ସଭାପତି ଇଂ ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କୁ ସମ୍ବର୍ଧନା ପ୍ରଦାନ କରା ଯାଇଥିଲା ।
ଇଂ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି, ସୂଚନା ଓ ଲୋକ ସଂପର୍କ ବିଭାଗ ରାଷ୍ଟ୍ରମନ୍ତ୍ରୀ ରଘୁନନ୍ଦନ ଦାସ ସମ୍ମାନିତ ଅତିଥି, ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ମୁଖ୍ୟ ବକ୍ତା, ବିଧାୟକ ପ୍ରଦୀପ ମହାରଥୀ, ଉମାକାନ୍ତ ସାମନ୍ତରାୟ, ସାରଦା ପ୍ରସାଦ ନାୟକ, ଅନନ୍ତ ନାରାୟଣ ଜେନା ସମ୍ମାନୀୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ । ସଂଘର ମାସିକ ମୁଖପତ୍ର ଟେକ୍ନୋସ୍କ୍ରାଇବର ସ୍ୱତନ୍ତ୍ର ସଂଖ୍ୟା ଓ ସଂଘର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ଲିଖିତ ହୃଦୟ ସଂଗୀତର ତୃତୀୟ ଭାଗ ବହିର ଏହି ଅବସରରେ ଉନ୍ମୋଚମ କରା ଯାଇଥିଲା ।
ଏହି ଅବସରରେ ଅତିଥି ମାନେ ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେମାନେ ସଂଘର ନେତୃତ୍ୱକୁ ମଧ୍ୟ ପ୍ରଶଂସା କରିଥିଲେ । ଏହି କ୍ରମରେ ସବୁ ବର୍ଗର ନେତୃତ୍ୱକୁ ସଂଘ ପକ୍ଷରୁ ଉଚ୍ଚ ପ୍ରଶଂସା କରା ଯାଇଥିଲା । ସମାଜରେ ତ୍ୟାଗ ଓ ପରୋପକାର କମି କମି ଯାଉଥିବାରୁ ସମାଜରେ ସ୍ୱାର୍ଥପରତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଯୁବ ପୀଢୀ ତ୍ୟାଗପୂତ ମନୋଭାବ ସହ ପରୋପକାର ଓ ସମାଜସେବା ପ୍ରତି ଆକୃଷ୍ଟ ହେବା ପାଇଁ ପ୍ଲାଟିନମ ଜୁବୁଲି ବର୍ଷରେ ଓଡେସାର ଏହି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ନରେନ୍ଦ୍ର କୁମାର ନାୟକ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଯଶୋବନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଂଘର ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀଧର ବାରିକ ଧନ୍ୟବାଦ ଦେଇଥିଲେ ।