
ପୁରୀ/ଭୁବନେଶ୍ୱର, ପୁରୀ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସଗତକାଲି ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ।
ଏହି ଅବସରରେ ଭାରତ ସ୍ୱତନ୍ତ୍ରତାର ମହାନ ସଂଗ୍ରାମୀମାନଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ଦାସ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିକହିଥିଲେ ଯେ,ଏହି ମହାନ ଜାତୀୟତାବାଦୀ ଦେଶପ୍ରେମୀ ଓ ସଂଗ୍ରାମୀମାନଙ୍କ ଅବିରତ ସଂଗ୍ରାମ, ତ୍ୟାଗ ଓ ବଳିଦାନର ଫଳ ସ୍ୱରୂପ ସ୍ୱାଧୀନତା ପ୍ରାପ୍ତ ଏବଂ ସମ୍ବିଧାନ ଲାଭ ହୋଇଛି ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ପୀଠ ଶ୍ରୀକ୍ଷେତ୍ର ପୁରୀ, କେବଳ ଆଧ୍ୟାତ୍ମିକ ପୀଠ ନୁହେଁ ବରଂ ବହୁ ମୁକ୍ତି ସଂଗ୍ରାମୀଙ୍କ ଜନ୍ମପୀଠ ଓ କର୍ମପୀଠ ଭାବେ ଅଲିଭା ସ୍ୱାକ୍ଷର ବହନ କରିଛି । ଅବିଭକ୍ତ ପୁରୀ ଜିଲ୍ଲାରୁ ମହାନ ବିପ୍ଲବୀ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚାଖି ଖୁଂଟିଆ, ଉତ୍କଳମଣି ଓ ପଞ୍ଚସଖାମାନଙ୍କ ଭାରତର ସ୍ୱାଧୀନତା ଓ ରାଷ୍ଟ୍ର ଗଠନରେ ଅମୂଲ୍ୟ ଅବଦାନ ଆଜି ଉତ୍ତରପିଢି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।
ଚଳିତ ବର୍ଷ ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ” ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରୁଛି । ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ଦେଶ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୁରୀସ୍ଥିତ ନେତାଜୀ ମ୍ୟୁଜିୟମ ଏହି ମହାନ ସଂଗ୍ରାମୀଙ୍କ ଅଭୁଲା ଅତୀତ ଓ ପୁରୁଣା ସାଇତା ସ୍ମୃତି ବହନ କରୁଛି । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ମା’ ରାମଚଣ୍ଡୀ, କାକଟପୁରର ମା’ ମଙ୍ଗଳା, ବ୍ରହ୍ମଗିରିର ଅଲାରନାଥ, ସତ୍ୟବାଦୀର ସାକ୍ଷୀଗୋପାଳ ମନ୍ଦିର, ସ୍ୱର୍ଣ୍ଣାଭ ବେଳାଭୂମି, ନୀଳାମ୍ବୁ ଚିଲିକା, ଓଡିଆ ଭାଗବତର ପ୍ରଣେତା ଜଗନ୍ନାଥ ଦାଶଙ୍କ ଜନ୍ମପୀଠ କପିଳେଶ୍ୱରପୁର, ଭକ୍ତ ଦାସିଆ ବାଉରୀଙ୍କ ଜନ୍ମପୀଠକୁ ନେଇ କେବଳ ପୁରୀ ନୁହେଁ, ବରଂ ସମଗ୍ର ଓଡିଶାବାସୀ ଗର୍ବ କରନ୍ତି ।
ମହାମାରୀ କରୋନାର ମୁକାବିଲା ନିମନ୍ତେ ମୁଖ୍ୟଅତିଥି ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଆଜିର ଏହି ମହାର୍ଘ ଅବସରରେ ମହାନ ସଂଗ୍ରାମୀ, ନେତୃବୃନ୍ଦ, ସମ୍ବିଧାନ ପ୍ରଣେତା ମାନଙ୍କ ଅବଦାନ, ଚରମ ତ୍ୟାଗ ଓ ବଳିଦାନକୁ ମନେ ପକାଇ ସମୃଦ୍ଧ ଓଡିଶା ଓ ବିକଶିତ ଭାରତବର୍ଷ ଗଠନରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ କରୋନା ଯୋଦ୍ଧା ଭାବେ ଜିଲ୍ଲାର ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପୋଲିସ, ଆଶା, ଅଙ୍ଗନୱାଡି କର୍ମୀ, ସଫେଇ କର୍ମଚାରୀ, ରେଡକ୍ରସ ପାଇଁ ସର୍ବାଧିକ ପାଣ୍ଠି ସଂଗ୍ରହରେ ସହଯୋଗ ନିମନ୍ତେ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା, ହ୍ୱିଲ ଚେୟାର ମାଧ୍ୟମରେ ଗୋଟିଏ ଦିନରେ ୨୫୪.୧ କିଲୋମିଟର ଯାତ୍ରା କରି ଗିନିଜ ବୁକ ରେକର୍ଡ କରିଥିବା ବ୍ରହ୍ମଗିରିର କମଳକାନ୍ତ ନାୟକଙ୍କୁ ୩୦ ହଜାର ଟଙ୍କା ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସିଡିଏମଓ ଡଃ ପ୍ରଣବ ଶଙ୍କର ଦାଶ,ତହସିଲଦାର ରବିନ୍ଦ୍ର ପ୍ରଧାନ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ପାତ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ । ରିଜର୍ଭ ଇନିସପେକ୍ଟର ଚନ୍ଦ୍ରଶେଖର ଦାଶ ପ୍ୟାରେଡ ପରିଚାଳନା କରିଥିଲେ । ଏହାପରେ ମୁଖ୍ୟଅତିଥି ସ୍ଥାନୀୟ ଉତ୍କଳବାଳାଶ୍ରମରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଂଟନ କରିଥିଲେ ।