କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ନାମାଙ୍କନ ପତ୍ର ଶେଷ ଦିନରେ ବାମେବାରୀ ଥାନା ଅନ୍ତର୍ଗତ ବଡକାଳିମାଟି ପଂଚାୟତର ସରପଂଚ ପ୍ରାର୍ଥୀନୀ ଗୌରୀ ନାୟକ ନାମାଙ୍କନ ପତ୍ର ଦାଖଲ ସମୟରେ କିଛି ଲୋକ ଗଣ୍ଡଗୋଳ କରି ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେବା ସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ନାମାଙ୍କନପତ୍ର ଦାଖଲ କରାଇ ଦେଇନଥିଲେ । ଫଳରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରି ପାରି ନଥିଲେ ବୋଲି ବିଳମ୍ବରେ ମିଳିଥିବା ଏକ ଖବରରୁ ଜଣାପଡିଛି । ଏ ସମ୍ପର୍କରେ ସେ ଯୋଡା ବିଡିଓଙ୍କୁ ଜଣାଇବା ସହ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ପୁରୁଣାଡିହି ଗ୍ରାମର ଗୌରି ନାୟକ ନାମଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସର ଦିନ ୧୧ ଟି ସମୟରେ ବଡକାଳିମାଟି ଗ୍ରାମପଂଚାୟତକ୍ୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ସମର୍ଥକ ଏବଂ ପ୍ରସ୍ତାବକଙ୍କ ସହ ଆସିଥିଲେ । ଏହି ସମୟରେ ବଡକାଳିମାଟି ପଂଚାୟତ ଅଫିସ ସମ୍ମୁଖରେ କାଳିମାଟି ଅଂଚଳର ବଳଭଦ୍ର ପାତ୍ର, ଦୁବୁନା ଅଂଚଳର ରବୀନ୍ଦ୍ର ଖମାଣିଆ, ବାମେବାରୀ ଅଂଚଳର ସନାତନ ବାରିକ, ପରମେଶ୍ୱର ନାଏକ, ଜଗନ୍ନାଥ ପାତ୍ର ଏବଂ ଅନ୍ୟ କେତେଜଣ ସହଯୋୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ତାଙ୍କୁ ପଂଚାୟତ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ଏବଂ ସେମାନଙ୍କ ହାତରୁ ପ୍ରାର୍ଥୀପତ୍ର ଛଡାଇ ନେଇ ଚିରିଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ପ୍ରାର୍ଥୀପତ୍ର ଦାଖଲ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ପ୍ରାର୍ଥୀଙ୍କ ସୁରକ୍ଷା ଦିଆଯାଇନଥିଲା । ଫଳରେ ପ୍ରାର୍ଥୀ ଗୌରୀ ନାୟକ ମନୋନୟନ ପତ୍ର ଦାଖଲ କରପାରିନଥିଲେ । ସମର୍ଥକ ଏବଂ ପ୍ରସ୍ତାବକ ଜୀବନ ଭୟରେ ସେଠାରୁ ପଳାଇ ଆସିଥିଲେ । ଏତଲାରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ପ୍ରରୋଚନାରେ ତାଙ୍କର କେତେକ ସମର୍ଥକ ଏଭଳି ଅଗଣତାନ୍ତ୍ରିକ ପନ୍ଥା ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମନୋନୟନ ପତ୍ର ଦାଖଲ କରିବାକୁ ଆସିଥିବା ପ୍ରାର୍ଥୀ ଗୌରୀ ନାୟକ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୧୨ ଦଫା ୧୪୭,୧୪୮,୩୪୧,୨୯୪,୫୦୬,୧୨୦(ବି),୧୪୯,ଏସଟି ଏସସି ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ ୧୯୮୯ ର ଧାରା ୩(୧) ମାମଲା ରୁଜ୍ଜୁ ହୋଇଛି । ଏଥିସହ ଦାୟିତ୍ୱରେ ଅବହେଳା କରିଥିବା ସଂପୃକ୍ତ ପଂଚାୟତର ଜିପିଇଓଙ୍କ ସମେତ ବିଡିଓ, ଏବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଦାବୀ ହୋଇଛି ।