ରାଉରକେଲା, ରାଉରକେଲା ସହରରୁ ବିଶ୍ରାକୁ ଏଠାରେ ଥିବା ବ୍ଲକ ଏଜୁକେସନ ଅଫିସ ସ୍ଥାନାନ୍ତର ହେବା ପରେ ସହରାଂଚଳ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ଲାଗି ରାଉରକେଲାରେ ମୁନିସିପାଲ ଏଜୁକେଶନ ଅଫିସ (ଏମଇଓ) ଖୋଲିବାକୁ ସ୍ଥାନୀୟ କଂଗ୍ରେସ ନେତା ମାନେ ଦାବି କରିଛନ୍ତି । ଏନେଇ ଆଜି ରାଜ୍ୟ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଏକ ଦାବି ପତ୍ର ପଠାଯାଇଛି । ଏହି ଦାବି ପତ୍ରରେ କୁହାଯାଇଛି ଯେ, ଜିଲ୍ଲାରେ ଜଣେ ଡିଇଓଙ୍କ ସମେତ ୧୭ଟି ବ୍ଲକରେ ବିଇଓ ଅଫିସ ମାନ ଖୋଲାଗଲା । ପୂର୍ବରୁ ଏଠାରେ ଥିବା ଡିଆଇ ଅଫିସକୁ ବିଇଓ ବିଶ୍ରା କରାଯାଇ ଶେଷରେ ତାକୁ ବିଶ୍ରା ପଠାଗଲା, ବିଶ୍ରା ଗଲା ପରେ ସେହି ଅଫିସ ର ମାତ୍ର ୧୨୪ଟି ସ୍କୁଲ ସାଙ୍ଗକୁ ୮୫୯୮ ପିଲା ଓ ୧୯୮ ଶିକ୍ଷକ ଏହି ଅଫିସ ଅଧିନରେ ରହିବେ, ହେଲେ ରାଉରକେଲା ସହରାଚଂଳରେ ୧୯୩ଟି ସ୍କୁଲ ସାଙ୍ଗକୁ ୬୦ ହଜାର ପିଲା ଓ ୬୮୭ ଶିକ୍ଷକଙ୍କ କଥା କିଏ ବୁଝିବ ତାହାର ବ୍ୟବସ୍ଥା କରାଗଲା ନାହିଁ । ତେଣୁ ସହରାଂଚଳ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ଲାଗି ରାଉରକେଲାରେ ଏମଇଓ ଅଫିସ ଖୋଲାଯାଉ ବୋଲି ଦାବି କରାଯାଇଛି । ଖାଲି ସେତିକି ନୁହେଁ ସହରାଚଂଳରେ ଅନେକ ଘରୋଇ ବିଦ୍ୟାଳୟ ମଧ୍ୟ ରହିଛି, ଯାହାର ଦାୟିତ୍ୱ ମଧ୍ୟ ଏହି ଅଫିସ ବୁଝୁଥିଲା, ସେସବୁକୁ ମଧ୍ୟ ସହରାଂଚଳ ଅଫିସ ବୁଝିବ ଓ ମହାନଗର ଅଂଚଳରେ ଶିକ୍ଷା ବ୍ୟବସ୍ଥା ସଠିକ୍ ରାସ୍ତାରେ ଯିବ ବୋଲି ମତପ୍ରକାଶ ପାଇଛି । ଏହି ଅଫିସ ଏଠାରୁ ଉଠିବା ପରେ ରାଉରକେଲାରୁ ପ୍ରାୟ ୩୦ କି.ମି. ଦୂର ଯାଇ ପେନସନ ଭୋଗୀ, ଶିକ୍ଷକ ତଥା ଅଭିଭାବକ ଚିନ୍ତାରେ ପଡିଛନ୍ତି । ଚଳିତ ମାସ ୧ ତାରିଖ ଯାଗାରେ ୧୨ ତାରିଖ ପରେ ଦରମା ମଧ୍ୟ ଶିକ୍ଷକ ମାନେ ପାଇଲେ । ୧୦୦ ଜଣ ଶିକ୍ଷକଙ୍କର ଇଂକ୍ରିମେଂଟ ନେଇ ମଧ୍ୟ ଶିକ୍ଷକ ମାନେ ଚିନ୍ତାରେ । କାରଣ ଏଠାରୁ ଫାଇଲ ପତ୍ର, କମ୍ପ୍ୟୁଟର ଯାଇ ସେଠାରେ କାମ ଆରମ୍ଭ ହେବା ଭିତରେ ସେମାନଙ୍କର କାମ ସଠିକ୍ ସମୟରେ ହୋଇପାରିବ କି ନାହିଁ ତାହା ଏକ ପ୍ରଶ୍ନବାଚୀ ହୋଇଛି । ତେଣୁ ରାଉରକେଲା ଅଫିସ ଏଠାରୁ ଉଠିଜିବା ପରେ ଯେଉଁ ଅଫିସଟି ଖାଲି ପଡିଛି ସେହି ଠାରେ ସମସ୍ତ ସୁବିଧା ରହିଥିବାରୁ ସେହି ଅଫିସକୁ ସହରାଂଚଳ ଅଫିସ ଭାବରେ ବ୍ୟବହାର କରାଯାଉ ଓ ଏଥିଲାଗି ବିଭାଗୀୟ ମୁଖ୍ୟ ତୁରନ୍ତ ଏକ ଆଦେଶନାମା ଜାରୀ କରି ରାଉରକେଲାର ଛାତ୍ରଛାତ୍ରୀ, ଅଭିଭାବକ ଓ ସହର ବାସୀଙ୍କୁ ସହଯାେଗ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ବୀରେନ ସେନାପତି, ଦେବ ବିହାରୀ, ସାବିର ହେସେନ, ମହିଳା କଂଗ୍ରେସର ନେତ୍ରୀ ମାନେ ଦାବି କରିଛନ୍ତି ।