
ମାଲକାନଗିରି, ପଚାଂୟତ ନିର୍ବାଚନ ବିଗୁଲ୍ ବାଜିବା ପରେ ଚାରିଆଡ଼େ ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ ଏହି ନିର୍ବାଚନକୁ ନେଇ ବିଶେଷ କରି ଯୁବପିଢି ଓ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବପିଢି ବିଭିନ୍ନ ପଦପଦବୀ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଯୁବପିଢି ନିର୍ବାଚନ ଲଢେଇରେ ସାମିଲ୍ ହୋଇଛନ୍ତି । ଜିଲ୍ଲାରେ ପ୍ରାର୍ଥୀମାନେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ପରିଷଦ ଜୋନ୍ – ୩ ଆସନ ନିମନ୍ତେ ଜିଲ୍ଲାର ଜଣେ ଆଦିବାସୀ ଉଚ୍ଚଶିକ୍ଷିତା ଯୁବତୀ ଜୟନ୍ତୀ ବୁରୁଦା ମଧ୍ୟ ପାର୍ଥିପତ୍ର ଦାଖଲ କରିଛନ୍ତି । ଜୟନ୍ତୀ ଜିଲ୍ଲାରେ ଏକ ଘରୋଇ ବୈଦୁତିକ ଗଣମାଧ୍ୟମ ସଂସ୍ଥାରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସେ ନିଜର ସମାଜସେବା ପାଇଁ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି । ପିଲାଙ୍କୁ ଶିକ୍ଷା ପ୍ରତି ଅଧିକ ସହଯୋଗର ଆବଶ୍ୟକତା ରହିଥିବା ଯୋଗୁଁ ସେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବେଶ୍ କାର୍ଯ୍ୟ କରୁଛନ୍ତି । ତେବେ ଜୟନ୍ତୀ ନିଜେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ସମାଜରେ ସେ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେଣୁ, ସେ ଚଳିତ ନିର୍ବାଚନରେ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରିବା ପାଇଁ ମାଲକାନଗିରି ଜିଲ୍ଲା ପରିଷଦ ଜୋନ୍ ୩ରେ ପାର୍ଥିନୀ ରୂପେ ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଜୟନ୍ତୀ ସଦାବେଳେ ସମାଜସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଥିବା ବେଳେ ନିର୍ବାଚନରେ ବିଜୟ ଲାଭ କଲେ ନିଜକୁ ସେହି ସମାଜସେବାରେ ଲିପ୍ତ ରଖିବା ସହ ମହିଳାଙ୍କ ବିକାଶ ପାଇଁ ବିଶେଷ ଗୁରୁତ୍ଵ ଦେବେ ବୋଲି ପ୍ରକାଶ କରିଛନ୍ତି ।