ଭଦ୍ରକ – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅଧୀନସ୍ଥ ବୈତରଣୀ ନଦୀ ଶଯ୍ୟାରୁ ବିପୁଳ ପରିମାଣର ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ଏହାକୁ ରୋକିବା ଦିଗରେ ବିଫଳ ହୋଇଛି । ଏହି ଚୋରା ଚାଲାଣ ଯୋଗୁଁ ରାଜସ୍ୱ ହାନି ସହ ପ୍ରାକୃତିକ ପରିବେଶ ନଷ୍ଟ ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହେଉଛି । ଏହାକୁ ରୋକିବା ଦିଗରେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ବିଜେପି ଜିଲା ସଭାପତି ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ପଂଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପ୍ରକାଶ ମହାପାତ୍ର, ରଶ୍ମିରଂଜନ ମହାପାତ୍ର ପ୍ରମୁଖଙ୍କ ସହ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଜଗନ୍ନାଥ ପ୍ରସାଦ ମୌଜାର ବାଲିପୋଖରୀ ଏସ୍କେଫ୍ ଠାରୁ ବୈତରଣୀ ଆନିକଟ ପର୍ଯ୍ୟନ୍ତ ପ୍ରାୟ ଦେଢକିଲୋମିଟର ଦୁର୍ବଳ ନଦୀବନ୍ଧ ଉପରେ ଦୈନିକ ଶତାଧିକ ସଂଖ୍ୟାରେ ବାଲି ବୋଝେଇ ଗାଡି ଚଳାଚଳ କରିବା ଦ୍ୱାରା ନଦୀବନ୍ଧ ଦୁର୍ବଳ ହୋଇ ଫାଟ ସୃଷ୍ଟି ହୋଇଛି । ଅନୁରୂପ ମଣିନାଥପୁର, ମୁଢାପଦା, ଦାଣ୍ଡକୁଳ ଭଳି ଅଂଚଳରୁ ବିପୁଳ ପରିମାଣର ବାଲି ଜେସିବି ମେସିନ୍ ସହାୟତାରେ ବେଆଇନ୍ ଭାବେ ଉତୋଳନ କରାଯାଉଛି । ବହୁସଂଖ୍ୟକ ହାଇୱା ଗାଡିରେ ବାଲି ପରିବହନ କରାଯିବା ଦ୍ୱାରା ନିର୍ମାଣାଧୀନ ନଦୀବନ୍ଧ ଓ ନଦୀର ପ୍ରାକୃତିକ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇଛି । ତହସିଲ ଓ ପୁଲିସ୍ ପ୍ରଶାସନ ନାମକୁ ମାତ୍ର ଗାଡି ଜବତ କରି ଲୋକଙ୍କୁ ଭୁଆଁ ବୁଲାଉଛି । ଏହାଦ୍ୱାରା ବାଲି ଚୋର ଉତ୍ସାହିତ ହେବା ସହ ବହୁ ଦୁର୍ନୀତିଗସ୍ତ ଅଧିକାରୀ ଓ କର୍ମଚାରୀ ମାଲେମାଲେ ହେଉଛନ୍ତି । ଏହି ବାଲି ଚୋରି ରୋକିବାକୁ ପୁଲିସ୍ ଅସହଯୋଗ କରୁଥିବା ନେଇ ତହସିଲଦାର ଖୋଲାଖୋଲି ପ୍ରକାଶ କରିଛନ୍ତି । ଏଣୁ ପୁଲିସ୍ ଓ ତହସିଲ ପରସ୍ପରକୁ ଦୋଷ ଦେବା ବାସ୍ତବରେ ସେମାନଙ୍କର ଏକ ଚାଲ ବୋଲି ଅଭିଯୋଗ କରି ଏହା ରୋକିବାରେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେପି ବାଧ୍ୟହୋଇ ଆନ୍ଦୋଳନକୁ ତୀବ୍ର କରିବ ବୋଲି ଚେତାବନୀ ଦେଇଛି ।
Related Stories
November 23, 2024