
ଭଦ୍ରକ – ଅବସର ପରେ କର୍ମଚାରୀଙ୍କୁ ସେମାନଙ୍କ ଭବିଷ୍ୟନିଧି ପ୍ରାପ୍ୟ ମିଳୁନାହିଁ । ଜିଲା ଅଫିସରୁ ରାଜ୍ୟ ଅଫିସ୍ ଏପରିକି ରାଜ୍ୟ ଇପିଏଫ୍ ଦପ୍ତର ଦୌଡି ଦୌଡି କର୍ମଚାରୀ ନୟାନ୍ତ ହେଲେଣି କର୍ମଚାରୀ । ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହାଁନ୍ତି କିମ୍ବା ସେମାନଙ୍କ ଟଙ୍କା ପାଇବାର କୌଣସି ବ୍ୟବସ୍ଥା ନାହିଁ । ଯାହାକି ନେଇ ରାଜ୍ୟ ଉଠାଜଳ ସେଚ୍ ନିଗମର ଶହ ଶହ ଅବସରପ୍ରାପ୍ତ କର୍ମଚାରୀ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଅର୍ଥ ଅଭାବରୁ କିଏ ନିଜ ଅଥବା ନିଜ ପରିବାରଙ୍କ ଉଚ୍ଚତର ଚିକିତ୍ସା କରିପାରୁନି ତ କିଏ ପିଳାଙ୍କ ପାଠପଢା ଏବଂ ପୁଅ-ଝିଅଙ୍କ ବିବାହ କରାଇ ପାରୁନି । ଗତ ୨୦୧୦ ମସିହା ଠାରୁ ରାଜ୍ୟ ଉଠାଜଳସେଚ ନିଗମରେ ଦେଖାଦେଇଛି ଏହି ପରିସ୍ଥିତି । ଯାହାକୁ ନେଇ ନିଗମ ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଭଦ୍ରକ ଜିଲାରେ ଏବେ ସେଚ ନିଗମରୁ କାର୍ଯ୍ୟକରି ଅବସର ନେଇଥିବା ପ୍ରାୟ ୧୫ରୁ ଉଦ୍ଧ୍ୱର୍ କର୍ମଚାରୀ ଗତ ପ୍ରାୟ ୧୦ ବର୍ଷ ହେବ ସେମାନଙ୍କ ଭବିଷ୍ୟନିଧି ପ୍ରାପ୍ୟ ବାବଦକୁ ଟଙ୍କାଙ୍କର ପ୍ରାପ୍ୟ ପାଇନଥିବା ଦାବୀ କରିଛନ୍ତି । ରାଜ୍ୟ ଉଠାଜଳସେଚନ ନିଗମ ପୁନର୍ଗଠନ ପରେ ଭଦ୍ରକ ଡିଭିଜନ୍ରେ କର୍ମଚାରୀ ସଂଖ୍ୟା ଶହେ ତଳକୁ ଖସି ଆସିଥିଲା । ଗତ ୨୦୦୩ ମସିହାରେ ନିଗମ ପୁନର୍ଗଠନ ଏବଂ ପରେ କର୍ମଚାରୀଙ୍କ ଅବସର ଯୋଗୁଁ ଏବେ ଜିଲାରେ ଥିବା ସେଚ ଡିଭିଜନ ଏବଂ ଅନ୍ୟ ୫ଟି ସବ୍ଡିଭିଜନ୍ରେ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୩୦ ରେ ସୀମିତ ରହିଛି । ଗୋଟିଏ ପଟରେ ନିଗମ ପୁନର୍ଗଠନ ପରେ ନିଗମରେ କର୍ମଚାରୀ ସଂଖ୍ୟା ହ୍ରାସ ପାଇଥିବାବେଳେ କାର୍ଯ୍ୟଭାର ବୃଦ୍ଧି ଅବଶିଷ୍ଟ କର୍ମଚାରୀଙ୍କୁ ଏକ ପ୍ରକାର ଅଣନିଶ୍ୱାସୀ କରିପକାଇଛି । ତେଣେ ଅବସରକାଳୀନ ଶୂନ୍ୟସ୍ଥାନକୁ ପୂରଣ କରାଯାଉନାହିଁ । ଫଳରେ ଦିନକୁ ଦିନ ସେଚ ନିଗମର କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରେ ଲାଗିଛି । ତେବେ ନିଗମରୁ ଅବସର ଗ୍ରହଣ କରିଥିବା ଏବଂ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭବିଷ୍ୟନିଧି ପ୍ରାପ୍ୟକୁ ନେଇ ଏବେ ସବୁ ମହଲରେ ଉଦବେଗ୍ ପ୍ରକାଶ ପାଇଛି । କର୍ମଚାରୀଙ୍କ କହିବା ଅନୁଯାୟୀ ଚାକିରୀରୁ ଅବସର ନେବା ପରେ ଅଧିକାଂଶ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଅତିବ ଶୋଚନୀୟ ହୋଇପଡିଥିବାବେଳେ ସେମାନଙ୍କ ଭବିଷ୍ୟନିଧି ପ୍ରାପ୍ୟ ନମିଳିବା ସେମାନଙ୍କୁ କଷ୍ଟ ଦେଇଛି । ଏହି ବାବଦକୁ କର୍ମଚାରୀମାନେ ମୁଣ୍ଡ ପିଛା ଅତିକମ୍ରେ ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ପାଉଣା ପାଇବା ବାକି ରହିଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଚାକିରୀ କାଳରେ ସେମାନଙ୍କ ବେତନରୁ କଟାଯାଉଥିବା ଏହି ଅର୍ଥ ରାଜ୍ୟ ଇପିଏଫ୍ ସଂଗଠନରେ ନିୟମିତ ଜମା କରାଯାଇଥିଲେ ମଧ୍ୟ ହିସାବରେ ତାଳମେଳ ନଥିବା ଆଳ ଦେଖାଇ ରାଜ୍ୟ ଇପିଏଫ୍ କର୍ତ୍ତୃପକ୍ଷ ସେମାନଙ୍କ ପ୍ରାପ୍ୟ ଦେବାକୁ ସମୟ ଗଡାଇ ଚାଲିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ତେବେ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ୨୦୧୪ ପରେ ଅବସର ନେଇଥିବା କର୍ମଚାରୀଙ୍କ ପ୍ରାପ୍ୟ ସମ୍ବନ୍ଧୀୟ ସୂଚନା ଅନ୍ଲାଇନ୍ରେ ଏବଂ ଏହାହ ପୂର୍ବ ମାମଲାର ସୂଚନା ଅଫ୍ଲାଇନରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ର୍କମଚାରୀଙ୍କ ବେତନରୁ କଟାଯାଉଥିବା ଭବିଷ୍ୟନିଧି ପ୍ରାପ୍ୟ ସେମାନଙ୍କ ଖାତାରେ ନିୟମିତ ମଧ୍ୟ ଜମା କରାଯାଉଛି । ହେଲେ କେଉଁ ପରିସ୍ଥିତିରେ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଇପିଏଫ୍ ପ୍ରାପ୍ୟ ପ୍ରଦାନ କରୁନାହାଁନ୍ତି ତାହା ଅସ୍ପଷ୍ଟ ରହିଛି ।