
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ତହଁର ଗ୍ରାମର କିଶୋର ଚନ୍ଦ୍ର ପାଢୀଙ୍କ ଗତ ୯ ତାରିଖ ବିଳମ୍ବିତ ରାତିରେ ହିଞ୍ଜଳିକାଟୁ ସ୍ଥିତ ବଇଁଚବଣିଆ ବାସଭବନରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ୫ ଜଣ କନ୍ୟା, ବୋହୂ, ନାତିନାତୁଣୀ, ଜ୍ୱାଇଁ ଓ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ । ବାଙ୍ଗାଲୁରୁରେ କାର୍ଯ୍ୟରତ ଏକମାତ୍ର ପୁତ୍ର ୧୦ ତାରିଖ ସନ୍ଧ୍ୟାରେ ଫେରିବା ପରେ କିଶୋରଙ୍କ ମରଶରୀର ଜନ୍ମଭୂମୀ ତହଁର ଆଣି ଋଷିକୁଲ୍ୟା ନଦୀରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁତ୍ର ଶାନ୍ତନୁ କୁମାର ମୁଖାଗ୍ନି ଦେଇଥିଲେ । ଆଜି ହିଞ୍ଜଳିକାଟୁ ବାସଭବନରେ ସ୍ୱର୍ଗତ ପାଢୀଙ୍କ ଦ୍ୱାଦଶାହ କାର୍ଯ୍ୟ ସମାପନ ହୋଇଛି । ଏଥିରେ ବହୁ ବନ୍ଧୁ ବାନ୍ଧବ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ସ୍ବର୍ଗତ ପାଢ଼ୀ ବହୁ ବର୍ଷ ଧରି ପିତ୍ତଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୮ ବର୍ଷ ବୟସ ହୋଇଥିଲା । କିଶୋରଙ୍କ ବିୟୋଗରେ ଶେରଗଡ଼ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।