ଭଦ୍ରକ – ସାଳନ୍ଦୀ ବହିମେଳାର ୨ୟ ଦିବସରେ ଓଡ଼ିଶାର ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ‘ଟାଇମ୍ ପାସ୍’ ପକ୍ଷରୁ ଏକ ବିରଳ ସୃଜନ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରା ଓଡ଼ିଶାରୁ ଲବ୍ଧ ପ୍ରତିଷ୍ଠିତ କବି, ଲେଖକ, ସଂପାଦକ ପ୍ରକାଶକ, ଗୀତିକାର, ଅଭିନେତ୍ରୀ, ସିନେ ନିର୍ଦ୍ଦେଶକ, ସଂଗୀତକାର ଓ କଣ୍ଟଶିଳ୍ପୀମାନେ ଯୋଗଦେଇ ସନ୍ଧ୍ୟାଟିକୁ ଉତ୍ସବ ମୁଖର କରିଥିଲେ । ଉତ୍ସବ ପ୍ରାରମ୍ଭରେ ଟାଇମ୍ ପାସ୍ର ନିର୍ଦ୍ଦେଶକ ସରୋଜ ବଳଙ୍କ ସ୍ୱାଗତ ଭାଷଣ ପରେ ଡ. ପ୍ରତିଭା ରାୟଙ୍କ ଗଳ୍ପକୁ ନେଇ ନିର୍ମିତ ‘ଭୋକ’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଚଳଚ୍ଚିତ୍ରର ନିର୍ଦ୍ଦେଶକ ତାପସ ରାଉତ ଓ ନାୟିକା ଭାସ୍ୱତୀ ବସୁ କାର୍ଯ୍ରକ୍ରମରେ ଉପସ୍ଥିତ ରହି ନିଜ ନିଜର ଅନୁଭୂତି ବାଂଟିଥିଲେ । ଉନ୍ମୋଚିତ ହୋଇଥିଲା ଟାଇମ୍ପାସ୍ ଦ୍ୱାରା ପ୍ରକାଶିତ ଭଦ୍ରକ ମାଟିର ସାତଜଣ ପ୍ରବୀଣ ଓ ନବୀନ ଲେଖକଙ୍କ ସାତଗୋଟି ପୁସ୍ତକ । ଶୈଳେନ୍ଦ୍ର ମହାପାତ୍ରଙ୍କ ‘ଶ୍ରେଷ୍ଠ ଗଳ୍ପ’, ପବିତ୍ର ପାଣିଗ୍ରାହୀଙ୍କ ‘ଶ୍ରେଷ୍ଠ ଗଳ୍ପ’, ସୁଚିତ୍ରା ପାଣିଗ୍ରାହୀ ଶିଶୁ କିଶୋର ଗଳ୍ପ ସଂକଳନ ‘କୁନାକୁନିଙ୍କ ଗପବହି’, ପଂଚାନନ ନାୟକଙ୍କ କବିତା ସଂକଳନ ‘ଚଢେଇ’, ଦେବବ୍ରତ ପାଣିଗ୍ରାହୀଙ୍କ ଗପ ସଂକଳନ ‘ସ୍ୱପ୍ନର ଛାୟାପଥ‘, ଚଇତାଳି ଖିଲାରଙ୍କ କବିତା ସଂକଳନ ‘ହୃଦୟର ମୂର୍ଚ୍ଛନା’ ଏବଂ ସୌମ୍ୟଶ୍ରୀ ପାଣିଗ୍ରାହୀ ସ୍ତମ୍ଭ ରଚନା ‘କଥା କତିପୟ’ ବିଭିନ୍ନ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । କଥା-କବିତାର କକ୍ଟେଲ୍ ଅଧିବେଶନରେ ପ୍ରକାଶ ମହାପାତ୍ର, ଶ୍ରୀଦେବ ବିରଜା ବଳ, ହିରଣମୟୀ ମିଶ୍ର, ଭିକାରୀ ଧଳ, ରାଜକିଶୋର ଦାସ, ପବିତ୍ର ମୋହନ କର, ରଂଜନ ବାଗ୍, ଉତ୍ପଳ ମହାନ୍ତି, ଲିପିକା ଦାସ, ଏଲି ମହାନ୍ତି, ବାଦଲ ମହାନ୍ତି, ସୁବତ୍ର ଜେନା, ବେଦପ୍ରକାଶ ନାୟକ ଓ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଗପ ଓ କବିତା ପାଠ କରିଥିଲେ । ସାହିତ୍ୟ ସଂପାନର ମଧ୍ୟାନ୍ତର ଗୁଡିକରେ ତିହିଡି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ସୁଦର୍ଶନ ନାୟକଙ୍କ ଅଧ୍ୟକ୍ଷତାରେ କଣ୍ଠଶିଳ୍ପୀ ମାନେ ସଂଗୀତ ପରିବେଷଣ କରିଥିଲେ । ସଂଗୀତ ଅଧିବେଶନର ସଂଚାଳନ କରିଥିଲେ ବହୁ ଚର୍ଚ୍ଚିତ ଗୀତିକାର ଓ କବି ପଂଚାନନ ନାୟକ । ସଂପୂର୍ଣ୍ଣ ଉତ୍ସବଟିକୁ ସରୋଜ ବଳ ସଂଚାଳନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାଳନ୍ଦୀ ବହିମେଳାର ସଂପାଦକ ଅଭିଜିତ୍ ନାୟକ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରବିନାରାୟଣ ଦାସ, ବଳରାମ ନାୟକ, ପ୍ରିୟଙ୍କା ଚାନ୍ଦ ଓ ଲୋପାମୁଦ୍ରା ମହାନ୍ତି । ଏଥିରେ ଭଦ୍ରକ ଓ ଆଖପାଖ ଅଂଚଳର ବହୁ ଲେଖକ ଓ ସାହିତ୍ୟାନୁରାଗୀ ଦର୍ଶକ ଯୋଗଦେଇ କାର୍ଯ୍ୟକ୍ରମକୁ ଶେଷଯାଏ ଉପଭୋଗ କରିଥିଲେ ।
Related Stories
November 23, 2024