ଭଦ୍ରକ – ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ନବ କିଶୋର ଦାସ ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିିତ୍ସାଳୟ ପରିଦର୍ଶନ କରିଛନ୍ତି । ମଧ୍ୟାହ୍ନରେ ମନ୍ତ୍ରୀ ଶ୍ରୀ ଦାସଙ୍କ ସମେତ ସାଂସଦ ମଂଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପରିଦର୍ଶନରେ ସାମିଲ ଥିଲେ । ବିଜେଡିର ତୁଙ୍ଗନେତା ଓ ଆଗଧାଡିର କର୍ମୀ ବି ମନ୍ତ୍ରୀ ଓ ବିଧାୟକଙ୍କ ପଛେପଛେ ଥିଲେ । ତେବେ ମନ୍ତ୍ରୀ ମୁଖ୍ୟ ଚିକିତ୍ସାଳୟର ଟ୍ରମା କେୟାର ୟୁନିଟ, ପ୍ରସୂତି ବିଭାଗର ୱାର୍ଡ ବୁଲି ଦେଖିଥିଲେ । ରୋଗୀଙ୍କୁ ନିରାମୟ ଔଷଧ ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଖାଦ୍ୟ ବ୍ୟବସ୍ଥା ଠିକ ଅଛି କି ନାହିଁ ପଚାରି ବୁଝିଥିଲେ । ତେବେ ଏସବୁ ବାବଦରେ ମନ୍ତ୍ରୀ ଖାସ କିଛି ଅଭିଯୋଗ ପାଇନଥିଲେ । ୱାର୍ଡ ବୁଲିବା ପରେ ମନ୍ତ୍ରୀ ସିଡିଏମଓଙ୍କ ପ୍ରକୋଷ୍ଠରେ କିଛିକାଳ ସାଂସଦ, ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ । ପରେ ଗଣମାଧ୍ୟମର ପ୍ରତନିିଧିଙ୍କୁ ଭେଟିଥିଲେ । ମନ୍ତ୍ରୀ କହିଥିଲେ ଯେ; ‘ମୋ ସରକାର କାର୍ଯ୍ୟକ୍ରମ ଭିତିରେ ଆମେ ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରୁଛୁ । ମେଡିକାଲରେ ରୋଗୀଙ୍କୁ ମାଗଣା ଔଷଧ ମିଳୁଛି କି ନାହିଁ, ଡାଏଲିସିସି ମାଗଣାରେ ଚାଲିଛି କି ନାହିଁ… ଆଦି ତନଖି କରୁଛୁ’ । ତେବେ ବହୁ ସଂଖ୍ୟକ ଡାକ୍ତର ପଦ ଖାଲି ଥିବା, ସାପ କାମୁଡା ଇଂଜେକ୍ସନ ମିଳୁନଥିବା, ଅଲଟ୍ରାସାଉଣ୍ଡ ମେସିନ କାମ କରୁନଥିବା… ଆଦି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ ରଖିଥିଲେ । ତେବେ ମନ୍ତ୍ରୀ ଉତରରେ ଆଗକୁ ଶତପ୍ରତିଶତ ନହେଲେ ବି ୩୦ରୁ ୪୦ ପ୍ରତିଶତ ଡାକ୍ତର ପଦ ପୂରଣ କରିବୁ ବୋଲି କହିଥିଲେ । ତେବେ ଜିଲାର ବିଧାୟକ ସାଂସଦଙ୍କୁ ନେଇ ରାଜଧାନୀରେ ମୁଖ୍ୟ ଚିକିତ୍ସାଳୟର ସମସ୍ୟା ସମାଧାନ ଲାଗି ସ୍ୱତନ୍ତ୍ର ବୈଠକ ହେବ ଓ ସମାଧାନର ପନ୍ଥା ନିର୍ଦ୍ଧାରଣ ହେବ ବୋଲି ମନ୍ତ୍ରୀ କହିଥିଲେ । ଏଥିସହ ମନ୍ତ୍ରୀ ଭଦ୍ରକରେ ଏମସିଏଚ (ମଦର-ଚାଇଲ୍ଡ ହସପିଟାଲ) ନିର୍ମାଣ ଲାଗି ୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ନେଇ ସୂଚନା ଦେଇଥିଲେ । ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ବ୍ୟୋମକେଶ ରାୟ ଓ ସଂଜୀବ ମଲ୍ଲିକ ପ୍ରସୂତି ୱାର୍ଡରେ ଅଧିକ ସଂଖ୍ୟକ ଶଯ୍ୟାର ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟ ଚିକିିତ୍ସାଳୟର ସ୍ଥାନାନ୍ତରଣ ବାବଦରେ ମଧ୍ୟ ମନ୍ତ୍ରୀ ଉପସ୍ଥିତ ସିଡିଏମଓ ଏବଂ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ । ଅପରପକ୍ଷେ ସାଂସଦ ମଂଜୁଲତା ମଣ୍ଡଳ ନିଜ ସାଂସଦ ପାଂଣ୍ଠିରୁ ଏକ ସମୟରେ ୧୧ଟି ଆମ୍ବୁଲାନସ ଯୋଗାଣ ଲାଗି ନିଷ୍ପତି ନେଇଥିବା କଥା ସେଠାରେ ଘୋଷଣା କରାଯାଇଥିଲା । ଏଥିନେଇ ମନ୍ତ୍ରୀ ନିଜଆଡୁ ଉପସ୍ଥିତ ସାଂସଦଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଆମ୍ବୁଲାନସ ଗୁଡିକ ବ୍ଳକ ସଦର ମହକୁମାରୁ ସିଧା କଟକ ବଡ ଡାକ୍ତରଖାନାକୁ ରୋଗୀଙ୍କୁ ଜରୁରି ପରିସ୍ଥିତିରେ ସ୍ଥାନାନ୍ତର ଲାଗି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି । ତେବେ ମନ୍ତ୍ରୀ ଜିଲା ମୁଖ୍ୟ ଚିକିିତ୍ସାଳୟର ସମସ୍ତ ସମସ୍ୟା ବାବଦରେ ଅବଗତ ହୋଇନଥିବା ନେଇ ମଧ୍ୟ ଆଲୋଚନା ହେଉଛି । ଏପରିକି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ପ୍ରସଙ୍ଗରେ ଆପାତତଃ ସବୁକିଛି ଠିକଠାକ ଚାଲିଛି ବୋଲି ମନ୍ତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିବା ସୂଚନା ମିଳିଛି । କାରଣ ପୂର୍ବରୁ ୫ଟି ସଚିବ ଭଦ୍ରକ ଗସ୍ତ କରିବା କାର୍ଯ୍ୟକ୍ରମକୁ ଆଖିଆଗରେ ରଖି କିଛିଦିନ ତଳେ ମେଡିକାଲର କୋଠାବାଡିକୁ ରଙ୍ଗ ଦିଆଯାଇଥିଲା । କିଛି ନିର୍ମାଣ କାମ କରାଯାଇଥିଲା । କିନ୍ତୁ ୫ଟି ସଚିବ ଆସିନଥିବା ବେଳେ ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ଆସିଥିଲେ ।
Related Stories
November 23, 2024