ମାଲକାନଗିରି, ୨୦୧୯ ମସିହାରେ ମାଲକାନଗିରି ଜିଲ୍ଲା ବାଲିମେଳା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଛାତ୍ରୀଙ୍କୁ ମାଡ଼ ମାରିବା ଘଟଣାର ରାୟ ପ୍ରକାଶ ପାଇଛି । ମାଲକାନଗିରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ( ଫାଷ୍ଟଟ୍ରାକ କୋର୍ଟ ) ସମ୍ପୃକ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ଦୋଷମୁକ୍ତ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ, ଗତ ୧୮/୧୧/୨୦୧୯ ମସିହାରେ ବାଲିମେଳା ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଲେଖ ଚନ୍ଦ୍ର ପ୍ରଧାନ ଛାତ୍ରୀଙ୍କୁ ମାଡ଼ ମାରିଥିବା ନେଇ ବିଦ୍ୟାଳୟର ମାଟ୍ରନ ଶୁଭ୍ରଜିତା ମହାପାତ୍ର ଓର୍କେଲ ( ବାଲିମେଳା ) ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶିକ୍ଷକ ଶ୍ରୀ ପ୍ରଧାନ ଛାତ୍ରୀଙ୍କୁ ମାଡ଼ ମାରିବା ସହ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ଥିବା ନେଇ ମାଟ୍ରନ ତାଙ୍କ ଏତଲାରେ ଦର୍ଶାଇଥିଲେ । ଏନେଇ ଓର୍କେଲ ଥାନା କେସ ନଂ ୨୦୧ / ୨୦୧୯ ( ଦଫା ୩୨୩ / ୩୫୪ / ୩୫୪ ( ଏ ) / ଏସସି ଏସଟି ଏବଂ ପୋକ୍ସ ଆକ୍ଟ ଓ ୭୫ ( ଜୁଭେନାଇଲ ଜଷ୍ଟିସ ଆକ୍ଟ ) ପ୍ରକାରେ ଶ୍ରୀ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାକୁ ଭିତ୍ତି କରି ତତ୍କାଳୀନ ଜିଲ୍ଲା ଶିକ୍ଷାଅଧିକାରୀ ରମେଶ ଚନ୍ଦ୍ର ସେଠୀ ଶିକ୍ଷକ ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ( ଆଦେଶ ନଂ ୪୪୭୭ / ୨୦ – ୧୧ – ୨୦୧୯ ) କାର୍ଯ୍ୟରୁ ନିଲମ୍ବନ କରିଥିଲେ । ପରେ ଘଟଣାର ବିଭାଗୀୟ ତଦନ୍ତ କରାଯାଇ ଶିକ୍ଷକଙ୍କ ବିରୋଧରେ କୌଣସି ପ୍ରମାଣ ନମିଳିବାରୁ ଶିକ୍ଷାଅଧିକାରୀ ( ଆଦେଶ ନଂ ୮୮୮ / ୭ – ୩ – ୨୦୨୦ ) ଶ୍ରୀ ପ୍ରଧାନଙ୍କୁ ପୁନଃ ଅବସ୍ଥାପିତ କରିଥିଲେ । ଏହି ଘଟଣାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଏବଂ ପାରିପାର୍ଶ୍ବକ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ନିର୍ଦେଷରେ ଖଲାସ କରିଛନ୍ତି । ଏଥିରେ ଅଦାଲତଙ୍କ ରାୟକୁ ସ୍ବାଗତ କରିବା ସହ ସତ୍ୟର ଜୟ ହେଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ଅଲେଖ ଚନ୍ଦ୍ର ।
ଅନ୍ୟପକ୍ଷରେ ପବିତ୍ର ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ପ୍ରଲୋଭିତ କରି ନିଜର ସ୍ବାର୍ଥ ସାଧନ ପାଇଁ ଏପରି ମିଥ୍ୟା ମୋକଦ୍ଦମାରେ ଶିକ୍ଷକଙ୍କୁ ଜଡ଼ିତ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ବାଲିମେଳା ନଗରବାସୀ ଅଦାଲତଙ୍କ ରାୟକୁ ସ୍ବାଗତ ଜଣାଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ଲମ୍ବୋଦର ତୁରୁକ ଏବଂ ଶିକ୍ଷକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ନାୟକ ମାମଲା ପରିଚାଳନା କରିଥିଲେ ।